Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି, ୪ ପ୍ରକଳ୍ପର ଲୋକାର୍ପଣ

 

ରାଉରକେଲା: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ଓଡିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ରାଉରକେଲାରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିବେ। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଦୌରା ହେବାରୁ ଏହାକୁ ନେଇ ସହରରେ ଉତ୍ସାହ ଦେଖାଯାଉଛି।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସେ ଦିଲ୍ଲୀରୁ ବିଶେଷ ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ପରେ ସେଠାରୁ ବିଶେଷ ହେଲିକପ୍ଟରରେ ଯାତ୍ରା କରି ପୂର୍ବାହ୍ନ ୧୧ଟା ୧୦ ମିନିଟ୍ ସମୟରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିବେ। ରାଷ୍ଟ୍ରପତିଙ୍କୁ ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ନୃତ୍ୟ-ଗୀତ ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯିବ।

ଏହାପରେ ସେ ସେକ୍ଟର-୧୩ ମେଲଣ ପଡ଼ିଆକୁ ଯାଇ ସାଧାରଣ ସଭାରେ ଯୋଗଦେବେ। ସେଠାରେ ସେ ଲୋକାର୍ପଣ କରିବାକୁ ଯାଉଥିବା ପ୍ରକଳ୍ପଗୁଡ଼ିକ ହେଲା—୪୨.୪୪ କୋଟି ଟଙ୍କା ବ୍ୟୟରେ କୋଏଲ ନଗର ମନୋରଞ୍ଜନ ପାର୍କ, ୨୭ କୋଟି ଟଙ୍କା ବ୍ୟୟରେ ଛେଣ୍ଡ୍ ସ୍ଥିତ ସାଇନ୍ସ ପାର୍କ ଏବଂ ପ୍ଲାନେଟୋରିୟମ, ୪୮ କୋଟି ଟଙ୍କା ବ୍ୟୟରେ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଓ ୪୦ କୋଟି ଟଙ୍କା ବ୍ୟୟରେ ଆଦିବାସୀ ମ୍ୟୁଜିୟମ୍।

ଏହି ପ୍ରକଳ୍ପଗୁଡ଼ିକର ପୂର୍ବ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ପରେ ସେ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମ୍ବନ୍ଧରେ ସୂଚନା ଦେଇଥିଲେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଉରକେଲାରେ ବ୍ୟାପକ ପ୍ରସ୍ତୁତି ଜୋରଦାର ଭାବରେ ଚାଲିଛି। ସୁରକ୍ଷା ବ୍ୟବସ୍ଥା ସହ ଆମନ୍ତ୍ରିତ ଅତିଥିମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି। ଏହି ଗସ୍ତ ରାଉରକେଲା ସହରର ଉନ୍ନତିକୁ ନୂତନ ଗତି ଦେବ ବୋଲି ଆଶା କରାଯାଉଛି।

Show More

Related Articles

Back to top button