ଯମୁନା ଏକ୍ସପ୍ରେସ୍ୱେରେ ଜଳିଗଲା ବସ୍, ୯ ଜୀବନ୍ତ ଦଗ୍ଧ

ଗ୍ରେଟର ନୋଏଡା: ଯମୁନା ଏକ୍ସପ୍ରେସ୍ୱେରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଭୟାବହ ବସ୍ ଦୁର୍ଘଟଣା। ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍ଲିପର ବସ୍ରେ ହଠାତ୍ ନିଆଁ ଲାଗିଯିବାରୁ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ବିହାର ପଞ୍ଜିକରଣ ନମ୍ବର ଥିବା ବସ୍ଟି ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାଉଥିଲା।
ଦୟାନତପୁର ଗାଁ ନିକଟରେ ବସ୍ରୁ ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ଏହାକୁ ରାସ୍ତାକଡ଼ରେ ଅଟକାଇଥିଲେ। ତେବେ କିଛି ସମୟ ମଧ୍ୟରେ ନିଆଁ ଭୟଙ୍କର ରୂପ ନେଇଥିଲା। ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରି ବସ୍ରୁ ଡେଇଁ ପଡ଼ିଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ପ୍ରାୟ ଘଣ୍ଟାଏର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ।

ଦୁର୍ଘଟଣାରେ ଆହତଙ୍କୁ କୈଳାସ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାରେ ଯାତ୍ରୀ ସୁନୀଲ କୁମାରଙ୍କ ଅଭିଯୋଗ ଆଧାରରେ ଏଫ୍ଆଇଆର୍ ରୁଜୁ ହୋଇଛି। ଏଥିରେ ଦାବି କରାଯାଇଛି ଯେ ନିଆଁ ଲାଗିବା ପୂର୍ବରୁ କ୍ୟାବିନ୍ରୁ ପୋଡ଼ା ଗନ୍ଧ ଆସୁଥିଲା। କିଛି ଯାତ୍ରୀ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ସତର୍କ କରିଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗ ହୋଇଛି।
ଏଫ୍ଆଇଆର୍ରେ ଡ୍ରାଇଭର ଓ କଣ୍ଡକ୍ଟର କ୍ୟାବିନ୍ରେ ବିଡ଼ି-ସିଗାରେଟ୍ ଟାଣୁଥିବା ମଧ୍ୟ ଅଭିଯୋଗ କରାଯାଇଛି। ନିଆଁର କାରଣ ଓ ଅନ୍ୟାନ୍ୟ ଦିଗ ନେଇ ପୁଲିସ ତଦନ୍ତ ଜାରି ରଖିଛି।



