Breaking PLUSଦେଶମୁଖ୍ୟ ଖବର

ଧର୍ମଘଟ ପୂର୍ବରୁ ରବିବାର ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ପ୍ରସ୍ତାବିତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପୂର୍ବରୁ ଗ୍ରାହକଙ୍କୁ ବ୍ୟାଙ୍କିଂ ସେବାରେ ଅସୁବିଧା ନ ହେବା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଡାକ ଥିବାରୁ ଏହାର ଠିକ୍‌ ପୂର୍ବଦିନ ସେପ୍ଟେମ୍ବର ୨୭ ରବିବାର ସରକାରୀ ବ୍ୟାଙ୍କଗୁଡ଼ିକ ଖୋଲା ରହିବ।
ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ସମସ୍ତ ସରକାରୀ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ରବିବାର ସାଧାରଣ ଦିନ ଭଳି କାର୍ଯ୍ୟ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସମସ୍ତ ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ, ଏଟିଏମ୍‌-ଲିଙ୍କ୍‌ ଶାଖା ଓ ମୁଦ୍ରା ଭଣ୍ଡାରକୁ ସେପ୍ଟେମ୍ବର ୨୭ରେ ସମ୍ପୂର୍ଣ୍ଣ ଭାବେ ଚାଲୁ ରଖିବାକୁ ଅନୁମତି ଦେଇଛି।
ସେପ୍ଟେମ୍ବର ୨୬ ଓ ୨୭ ଛୁଟି ପରେ ୨୮ରୁ ୩୦ ଧର୍ମଘଟ ହେବା ଯୋଗୁ ଲଗାତାର ୫ ଦିନ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିଲା। ଏହାକୁ ଏଡ଼ାଇବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି।
ପାଞ୍ଚ ଦିନିଆ ବ୍ୟାଙ୍କିଂ ସପ୍ତାହ ଲାଗୁ ଓ ପରିଣାମ ଭିତ୍ତିକ ପ୍ରୋତ୍ସାହନ ଯୋଜନା ପ୍ରତ୍ୟାହାର ଦାବିରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ ସମେତ କିଛି ବ୍ୟାଙ୍କ ସଂଗଠନ ଧର୍ମଘଟ ଡାକ ଦେଇଛନ୍ତି। ତେବେ ସରକାର ପ୍ରୋତ୍ସାହନ ଯୋଜନାକୁ ଏବେ ପାଇଁ ସ୍ଥଗିତ ରଖିଥିବାରୁ ଧର୍ମଘଟରୁ ବିରତ ରହିବାକୁ କର୍ମଚାରୀ ସଂଗଠନଗୁଡ଼ିକୁ ଅନୁରୋଧ କରାଯାଇଛି।

Show More

Related Articles

Back to top button