ଜୁବିନ ଗାର୍ଗ ମୃତ୍ୟୁ ମାମଲା: ବିଦେଶୀ ସାକ୍ଷୀଙ୍କ ବୟାନ ରେକର୍ଡ

ଗୁଆହାଟୀ: ପ୍ରସିଦ୍ଧ ଆସାମୀୟ ଗାୟକ ଜୁବିନ ଗାର୍ଗଙ୍କ ମୃତ୍ୟୁ ମାମଲାରେ ବୁଧବାର ମଧ୍ୟ ସାକ୍ଷୀଙ୍କ ଜେରା ଜାରି ରହିଛି। ସିଙ୍ଗାପୁରରେ ରହୁଥିବା ଆସାମୀୟ ଅଭିମନ୍ୟୁ ତାଲୁକଦାର ଫାଷ୍ଟଟ୍ରାକ୍ କୋର୍ଟରେ ହାଜର ହୋଇ ତାଙ୍କ ବୟାନ ରେକର୍ଡ କରାଇଛନ୍ତି।
୨୦୨୫ ସେପ୍ଟେମ୍ବର ୧୯ରେ ଲାଜାରସ୍ ଦ୍ୱୀପ ନିକଟ ସମୁଦ୍ରରେ ଏକ ୟାଟ୍ ଯାତ୍ରା ସମୟରେ ଘଟିଥିବା ଘଟଣାରେ ୫୨ ବର୍ଷୀୟ ଜୁବିନଙ୍କ ମୃତ୍ୟୁ ହୋଇଥିଲା। ସେ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍ରେ ଯୋଗଦେବା ପାଇଁ ସିଙ୍ଗାପୁର ଯାଇଥିଲେ। ଘଟଣା ସମୟରେ ୟାଟ୍ରେ ଉପସ୍ଥିତ ଥିବା କିଛି ବ୍ୟକ୍ତିଙ୍କ ସମେତ ବିଦେଶରେ ରହୁଥିବା ଆସାମୀୟଙ୍କୁ ମଧ୍ୟ ଏହି ମାମଲାରେ ସାକ୍ଷୀ କରାଯାଇଛି।
ଏହାପୂର୍ବରୁ ପରିକ୍ଷିତ ଶର୍ମା, ସୁସ୍ମିତା ଗୋସ୍ୱାମୀ, ପ୍ରତିମ ଲାହକର ଓ ଦେବଜ୍ୟୋତି ହାଜରିକାଙ୍କ ବୟାନ ରେକର୍ଡ ହୋଇଛି। ଜିଓ ଲାଙ୍ଗସାଟ୍ ନର୍ଜାରୀଙ୍କ ନାମ ମଧ୍ୟ ବିଦେଶୀ ସାକ୍ଷୀ ତାଲିକାରେ ରହିଛି।
ଅନ୍ୟପକ୍ଷରେ, ସିଙ୍ଗାପୁରର ଷ୍ଟେଟ୍ କରୋନର୍ ଆଡାମ ନାଖୋଡା ମାର୍ଚ୍ଚ ୨୦୨୬ରେ ଜୁବିନଙ୍କ ମୃତ୍ୟୁକୁ ଦୁର୍ଘଟଣାଜନିତ ଡୁବିଯିବା ବୋଲି କହିଥିଲେ। ସିଙ୍ଗାପୁର ପୁଲିସ ମଧ୍ୟ ତଦନ୍ତରେ କୌଣସି ଷଡ଼ଯନ୍ତ୍ର ବା ଅପରାଧିକ ହସ୍ତକ୍ଷେପର ପ୍ରମାଣ ମିଳିନଥିବା କହିଥିଲା। ତେବେ ପରିବାର ପକ୍ଷରୁ ଉଠିଥିବା ଅଭିଯୋଗ ପରେ ଆସାମ ସିଆଇଡି ଏସ୍ଆଇଟି ଗଠନ କରି ତଦନ୍ତ କରିଥିଲା। ଏହି ମାମଲାରେ ୭ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ଫାଷ୍ଟଟ୍ରାକ୍ କୋର୍ଟରେ ଏବେ ସାକ୍ଷ୍ୟଗ୍ରହଣ ଜାରି ରହିଛି।



