Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ଦିଲ୍ଲୀରେ ହୋଟେଲ ନିର୍ମାଣ ବେଳେ ଅଘଟଣ, ୮ ଶ୍ରମିକ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ପହାଡ଼ଗଞ୍ଜ ଅଞ୍ଚଳରେ ଏକ ନିର୍ମାଣାଧୀନ ହୋଟେଲର ଛାତ ଭୁଶୁଡ଼ି ପଡ଼ିବାରୁ ୮ ଜଣ ଶ୍ରମିକ ଆହତ ହୋଇଛନ୍ତି। ରବିବାର ଦ୍ୱିତୀୟ ମହଲାର ଲେଣ୍ଟର ପକାଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରି ଲେଡି ହାର୍ଡିଂ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ସଙ୍ଗତରାଶନର କଶେରୁୱାଲାନ୍‌ ଅଞ୍ଚଳରେ ଥିବା ଏହି କୋଠାଟି ଏକ ସରକାରୀ ବାଳିକା ବିଦ୍ୟାଳୟ ସମ୍ମୁଖରେ ରହିଛି। ଏଠାରେ ହୋଟେଲ ନିର୍ମାଣ କାମ ଚାଲିଥିଲା। କୋଠାର ଏକ ଅଂଶ ଭୁଶୁଡ଼ିବା ନେଇ ପିସିଆର୍‌ କଲ୍‌ ମିଳିବା ପରେ ପହାଡ଼ଗଞ୍ଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।

ପ୍ରାଥମିକ ଯାଞ୍ଚରେ କୋଠାକୁ ସମର୍ଥନ ଦେଉଥିବା ପିଲରଗୁଡ଼ିକ ଓଦା ଥିବା ଏବଂ କୋଠାଟି ଗୋଟିଏ ପାଖକୁ ଢଳିଥିବା ଜଣାପଡ଼ିଛି। ଏହି କାରଣରୁ ଛାତର ଚାପ ସହି ନପାରି କୋଠାର ଅଂଶ ଭୁଶୁଡ଼ିଥିବା ସନ୍ଦେହ କରାଯାଉଛି। ଆହତଙ୍କ ମଧ୍ୟରୁ କେତେକଙ୍କ ହାଡ଼ ଭାଙ୍ଗିଛି। ଘଟଣାର ପ୍ରକୃତ କାରଣ ଓ ନିର୍ମାଣରେ ଅବହେଳା ହୋଇଛି କି ନାହିଁ, ପୁଲିସ ତଦନ୍ତ ଜାରି ରଖିଛି।

Show More

Related Articles

Back to top button