Breaking PLUSଓଡ଼ିଶାମୁଖ୍ୟ ଖବର

୧୪ ଦିନ ପରେ ଗାତରୁ ଜୀବନ୍ତ ଉଦ୍ଧାର ହେଲେ ନିଖୋଜ ଶିକ୍ଷକ

 

କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନରେ ନିଖୋଜ ହେବାର ୧୪ ଦିନ ପରେ ଜଣେ ଶିକ୍ଷକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଗାତ ଭିତରେ ଫସି ରହିଥିବା ଶିକ୍ଷକ ଜଣକ ହେଉଛନ୍ତି ମୋହନ ମହାରଣା। ସେ ରାଇକିଆ ବ୍ଲକ୍‌ ଇନ୍ଦ୍ରଗଡ଼ ପଞ୍ଚାୟତର ଏକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ଶନିବାର ଡଙ୍ଗାସି ଗ୍ରାମ ନିକଟସ୍ଥ ଏକ ଗାତରୁ ତାଙ୍କୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।

ସୂଚନା ଅନୁଯାୟୀ, ଅକ୍ଟୋବର ୨୯ ରାତିରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଡଙ୍ଗାସି ଗ୍ରାମରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ପାହାଡ଼ର ଏକ ବଡ଼ ଅଂଶ ଧସି ପଡ଼ିବାରୁ ଗ୍ରାମବାସୀ ଜୀବନ ବଞ୍ଚାଇବାକୁ ଗାଁ ଛାଡ଼ି ପଳାଇଥିଲେ। ଏହି ସମୟରେ ମୋହନ ମଧ୍ୟ ଅନ୍ୟତ୍ର ଯାଉଥିବାବେଳେ ଅନ୍ଧାରରେ ଏକ ଗାତ ଭିତରେ ପଡ଼ିଯାଇଥିଲେ। ତାଙ୍କ ଚିତ୍କାର କେହି ଶୁଣିପାରିନଥିଲେ।

ଅନ୍ୟପକ୍ଷରେ ପରିବାର ଲୋକେ ତାଙ୍କୁ ଖୋଜି ନପାଇ ରାଇକିଆ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ପୁଲିସ ମଧ୍ୟ ଖୋଜାଖୋଜି ଆରମ୍ଭ କରିଥିଲା। ଶେଷରେ ଶନିବାର ଜଣେ ଗୋରୁ ଚରାଳି ଗାତ ଭିତରୁ କ୍ଷୀଣ ସ୍ୱର ଶୁଣି ନିକଟକୁ ଯାଇଥିଲେ। ସେଠାରେ ମୋହନଙ୍କୁ ଫସି ରହିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ଉଦ୍ଧାର ପରେ ଗ୍ରାମବାସୀ ତାଙ୍କୁ ଅସ୍ଥାୟୀ ଷ୍ଟ୍ରେଚରରେ ପ୍ରାୟ ୧୮ କିଲୋମିଟର ବୋହି ରାଇକିଆ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଗାତରେ ଜମିଥିବା କାଦୁଅ ପାଣି ପିଇ ସେ ୧୪ ଦିନ ଧରି ଜୀବନ ବଞ୍ଚାଇଥିବା କୁହାଯାଉଛି।

Show More

Related Articles

Back to top button