ଛତିଶଗଡ଼ ପାୱାର ପ୍ଲାଣ୍ଟ ଦୁର୍ଘଟଣାରେ ୯ ମୃତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ ପ୍ରକାଶ

ଛତିଶଗଡ଼ର ସକ୍ତି ଜିଲ୍ଲାର ସିଙ୍ଗିତରାଇ ଗ୍ରାମସ୍ଥିତ ଏକ ପାୱାର ପ୍ଲାଣ୍ଟରେ ଘଟିଥିବା ଭୟାବହ ଦୁର୍ଘଟଣାରେ କମ୍ ସେ କମ୍ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୨୦ ରୁ ଅଧିକ ଆହତ ହୋଇଛନ୍ତି। ବୋଇଲର ଟ୍ୟୁବ୍ ବିସ୍ଫୋରଣ ହେବାରୁ ଏହି ଘଟଣା ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।
ଏହି ଦୁଃଖଦ ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରାହାତ ତହବିଲ ରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି।
ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ସେ ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଆହତଙ୍କ ଶୀଘ୍ର ସୁସ୍ଥତା ପାଇଁ ସେ ପ୍ରାର୍ଥନା ମଧ୍ୟ କରିଛନ୍ତି।
ସ୍ଥାନୀୟ ପ୍ରଶାସନ ଏହି ଘଟଣାରେ ପ୍ରଭାବିତ ଲୋକଙ୍କୁ ସହଯୋଗ କରୁଛି ବୋଲି ସୂଚନା ମିଳିଛି। ଛତିଶଗଡ଼ର ଶିଳ୍ପମନ୍ତ୍ରୀ ଲଖନ ଲାଲ ଦେଓଘର୍ ମଧ୍ୟ ଘଟଣାକୁ ଦୁଃଖଦାୟକ କହି ତଦନ୍ତ ଓ ସହାୟତା ନିର୍ଦ୍ଦେଶ ଦେଇଛନ୍ତି।



