
ଅନୁଗୋଳ: ତ୍ରୟୋଦଶତମ ଅନୁଗୋଳ ଜିଲା ମହୋତ୍ସବ-୨୦୨୬ ଆଡମ୍ବରପୂର୍ଣ୍ଣ ଭାବେ ଉଦଘାଟିତ ହୋଇଛି। ଉଦ୍ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ ଅନୁଗୋଳ ମାଟି ସଂସ୍କୃତି, ପରମ୍ପରା ଓ ଆତିଥ୍ୟରେ ସଦା ଅନନ୍ୟ ରହିଛି ଏବଂ ଏହି ମହୋତ୍ସବ ଏହି ଅଞ୍ଚଳର ସାମୁଦାୟିକ ଏକତା ଓ ସାଂସ୍କୃତିକ ଗର୍ବକୁ ଆହୁରି ସୁଦୃଢ କରୁଛି।
ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଅନୁଗୋଳ ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ ହୋଇ ସଂସ୍କୃତି, ପ୍ରାକୃତିକ ସମ୍ପଦ ଓ ଶିଳ୍ପ ଉନ୍ନତିର ଏକ ସୁଦୃଢ ମିଶ୍ରଣ ଭାବେ ଉଭା ହୋଇଛି। ସାତକୋଶିଆ ଅଞ୍ଚଳ, ମହାନଦୀ ଓ ବ୍ରାହ୍ମଣୀ ନଦୀ ସହିତ ପର୍ବତମାଳା ଏହି ଜିଲ୍ଲାକୁ ପର୍ଯ୍ୟଟନ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଛି। ଏହା ସହିତ ନାଲକୋ, ଏମସିଏଲ୍ ଓ ଏନ୍ଟିପିସି ଭଳି ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକ ଅନୁଗୋଳକୁ ଦେଶର ଅଗ୍ରଣୀ ଶିଳ୍ପ କେନ୍ଦ୍ରରେ ପରିଣତ କରିଛି।
ଅନୁଗୋଳକୁ ଭବିଷ୍ୟତରେ ରାଜ୍ୟର “ଏନର୍ଜି କ୍ୟାପିଟାଲ” ଭାବେ ଗଢ଼ିଉଠିବ ବୋଲି କହି ମୁଖ୍ୟମନ୍ତ୍ରୀ ଶିଳ୍ପ ଓ ଉର୍ଜା କ୍ଷେତ୍ରରେ ଏହାର ଅପାର ସମ୍ଭାବନା ଉପରେ ଆଲୋକ ପାତ କରିଥିଲେ। ତାଳଚେରରେ ପ୍ରସ୍ତାବିତ Integrated Surface Coal Gasification Plant ରାଜ୍ୟର ଉର୍ଜା ସୁରକ୍ଷା ଓ ନିଯୁକ୍ତି ସୃଷ୍ଟିରେ ନୂଆ ଦିଗ ଖୋଲିବ ବୋଲି ସେ କହିଥିଲେ। ସେହିପରି ପାରାଦୀପରୁ ରାଉରକେଲା ପର୍ଯ୍ୟନ୍ତ ଏକ ବିଶାଳ ଶିଳ୍ପ କରିଡର ଗଠନ ଯୋଜନା ରାଜ୍ୟର ଅର୍ଥନୈତିକ ବିକାଶକୁ ଗତି ଦେବ ଏବଂ ଏହାର କେନ୍ଦ୍ରସ୍ଥଳ ଭାବେ ଅନୁଗୋଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଉଲ୍ଲେଖ କରିଥିଲେ।
ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ଯେ, ପୂର୍ବବର୍ଷ ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ, ଏହି ବର୍ଷ ମଧ୍ୟ ୫୫୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ରଖାଯାଇଛି। ଏହା ଜିଲ୍ଲାର ସମଗ୍ର ବିକାଶକୁ ଆହୁରି ଦୃଢ କରିବ ବୋଲି ସେ କହିଥିଲେ।
ଏହି ଅବସରରେ ଜିଲ୍ଲା ଓ ରାଜ୍ୟସ୍ତରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି “ଆମ ଜିଲ୍ଲା ଆମ କଥା” ନାମକ ସ୍ମରଣିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ପାଳଲହଡା ବିଧାୟକ ଅଶୋକ ମହାନ୍ତି ମଧ୍ୟ ଉପସ୍ଥିତ ରହି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ୱାଗତ କରିଥିଲେ।



