Breaking PLUSଓଡ଼ିଶାମୁଖ୍ୟ ଖବର

ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ

ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, 4 ଜୁନ – ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ହୋଇଛି । ଭୁବନେଶ୍ବର ସୂର୍ଯ୍ୟନଗରସ୍ଥିତ ବାସଭବନରେ ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସାହିତ୍ୟିକ ଜେପି ଦାସ ।ଓଡ଼ିଆ ସାହିତ୍ୟର ସବୁ ବିଭାଗରେ ସେ କଲମ ଚାଳନା କରିଥିଲେ । କବିତା ପୁସ୍ତକ `ପରିକ୍ରମା’ ଲାଗି ସେ ସରସ୍ବତୀ ସମ୍ମାନ ପାଇଥିଲେ । ଐତିହାସିକ ଉପନ୍ୟାସ `ଦେଶ କାଳ ପାତ୍ର’ ଜେପିଙ୍କର କାଳଜୟୀ କୃତି ଅଟେ ।

ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ସମ୍ବାଦ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ କେବଳ ଜଣେ ଉଚ୍ଚକୋଟୀର ସାହିତ୍ୟିକ ନଥିଲେ, ବରଂ ଭାରତୀୟ ପ୍ରଶାସନିକ ସେବା (IAS)ର ଜଣେ ଦକ୍ଷ ଅଧିକାରୀ ଭାବେ ସେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ରାଜ୍ୟ ଓ ଦେଶର ସେବାରେ ନିଜକୁ ନିୟୋଜିତ କରିଥିଲେ। ସାହିତ୍ୟର ପ୍ରତ୍ୟେକ ବିଭାଗରେ ନିଜର ସୃଜନଶୀଳତାର ସ୍ୱତନ୍ତ୍ର ଛାପ ଛାଡିଯାଇଥିବା ଜେ.ପି. ଦାସଙ୍କ ବିୟୋଗ ଆମ ସାରସ୍ୱତ ଜଗତପାଇଁ ଏକ ଅପୂରଣୀୟ କ୍ଷତି।

ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

Show More

Related Articles

Back to top button