ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଅନେକ ନେତା

ଭୁବନେଶ୍ୱର, 20 ଏପ୍ରିଲ- ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥୀକୁ ପବିତ୍ର ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହି ଅବସରରେ ରାଜ୍ୟବାସୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଅନେକ ନେତା ।
ପବିତ୍ର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପବିତ୍ର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ଶାନ୍ତି ରେ ପରିପୂର୍ଣ୍ଣ ହେଉ।
ପବିତ୍ର ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ଓଡ଼ିଶାର କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସଦାସର୍ବଦା ସଂକଳ୍ପବଦ୍ଧ ଏବଂ ଏହି ପବିତ୍ର ତିଥିରେ ପ୍ରତିଟି ଓଡ଼ିଆଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ସମସ୍ତ ଭାଇ ଓ ଭଉଣୀ, ବିଶେଷ କରି କଠିନ ପରିଶ୍ରମୀ ଅନ୍ନଦାତାମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି ଶୁଭ ଦିନରେ ମହାପ୍ରଭୁଙ୍କ ରଥ ନିର୍ମାଣର ଶୁଭାରମ୍ଭ ଓ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ ଆମ ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ। ଓଡ଼ିଶାର କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସଦାସର୍ବଦା ସଂକଳ୍ପବଦ୍ଧ ଏବଂ ଏହି ପବିତ୍ର ତିଥିରେ ପ୍ରତିଟି ଓଡ଼ିଆଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।
ପବିତ୍ର ‘ଅକ୍ଷୟ ତୃତୀୟା’ର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୃଷିଭିତ୍ତିକ ଗଣପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜିର ଶୁଭ ଦିନରେ ଆମର ଚାଷୀ ଭାଇ ଓ ଭଉଣୀମାନେ ଉତ୍ତମ ଶସ୍ୟ ଅମଳର ଆଶା ନେଇ ‘ଅକ୍ଷିମୁଠି’ ଅନୁକୂଳ କରିବାର ପରମ୍ପରା ରହିଛି । ଚାଷୀମାନେ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ । ମହାପ୍ରଭୁଙ୍କ ପାଖରେ ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ସୁଖ-ସମୃଦ୍ଧି ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ।



