
ନୂଆଦିଲ୍ଲୀ: କର୍ଣ୍ଣାଟକର ହାଭେରୀ ସହରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଥିବା ଘଟଣା ଅଞ୍ଚଳରେ ତିବ୍ର ଉତ୍ତେଜନା ସୃଷ୍ଟି କରିଛି। ଘଟଣାଟି ହାଭେରୀ ସହରର ମହାତ୍ମା ଗାନ୍ଧୀ ରୋଡରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଅଜଣା କିଛି ଦୁର୍ବୁତ୍ତ ରାତିର ଅନ୍ଧାରକୁ ସୁଯୋଗ କରି ପ୍ରତିମୂର୍ତ୍ତିକୁ କ୍ଷତିଗ୍ରସ୍ତ କରିଥିଲେ। ଏହା ପରେ ଘଟଣାସ୍ଥଳରେ ତନାତନି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସ୍ଥାନୀୟ ଲୋକମାନେ ଏହାକୁ ନେଇ ଆକ୍ରୋଶ ପ୍ରକାଶ କରିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ସହିତ ହାଭେରୀ ପୁଲିସ୍ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପରେ ପୁଲିସ୍ ଦ୍ୱାରା ପ୍ରାୟ ୨ ଫୁଟ ଉଚ୍ଚତା ବିଶିଷ୍ଟ କ୍ଷତିଗ୍ରସ୍ତ ପ୍ରତିମାକୁ ଜବତ କରାଯାଇ ଅଧିକ ତଦନ୍ତ ପାଇଁ ଥାନାକୁ ନେଇଯାଇଛି।
ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରି ଦୁର୍ବୁତ୍ତମାନଙ୍କୁ ଧରିବା ପାଇଁ ବ୍ୟାପକ ଖୋଜାଖୋଜି ଆରମ୍ଭ କରିଛି। ତଦନ୍ତର ଅଂଶ ଭାବେ ସହରର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। କିନ୍ତୁ ଘଟଣା ଘଟିଥିବା ସ୍ଥାନରେ ଥିବା କ୍ୟାମେରା ବନ୍ଦ ଥିବା ଜଣାପଡିଥିବାରୁ ତଦନ୍ତକୁ କିଛି ଅସୁବିଧା ସୃଷ୍ଟି ହେଉଛି।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଏବଂ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ମୋତାୟନ ବଢ଼ାଯାଇଛି। ପୁଲିସ୍ କହିଛି ଯେ, ଶୀଘ୍ର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।



