
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଓ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ କରାଯାଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶାନୁସାରେ ଶୁକ୍ରବାରଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ସକାଳ ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ସୂଚୀ ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ।
ଅସହ୍ୟ ଗରମରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ମନେରଖି ଏହି ପଦକ୍ଷେପ ନିଆଯାଇଛି। ବିଶେଷ କରି ଦୁପର ବେଳର ତୀବ୍ର ତାପମାତ୍ରା ଓ ହିଟ୍ ୱେଭ୍ର ପ୍ରଭାବ ଛୋଟ ଛାତ୍ରଛାତ୍ରୀଙ୍କ ପାଇଁ ବିପଦଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସେହିପରି ତାପମାତ୍ରା ବୃଦ୍ଧି ସହ ହିଟ୍ ଷ୍ଟ୍ରୋକ୍ ଓ ଜଳଶୂନ୍ୟତାର ଝୁମ୍କି ବଢ଼ିଥିବାରୁ ପ୍ରଶାସନ ସଚେତନ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ତୀବ୍ର ଖରା ପରିସ୍ଥିତିକୁ ଦେଖି ଏପ୍ରିଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଅସ୍ଥାୟୀ ଭାବେ ଛୁଟି ଘୋଷଣା କରାଯାଇଥିଲା। ଆଜି ସେହି ଛୁଟି ଶେଷ ହେବା ସହିତ ପୁନଃ ପାଠପାଠନ ଆରମ୍ଭ ହେଉଥିବା ବେଳେ, ଗରମକୁ ଦୃଷ୍ଟିରେ ରଖି ସକାଳୁଆ କ୍ଲାସ୍ ବ୍ୟବସ୍ଥା ଲାଗୁ କରାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟଜଳ, ପ୍ରୟୋଜନୀୟ ସ୍ୱଚ୍ଛତା ବ୍ୟବସ୍ଥା ଏବଂ ଆବଶ୍ୟକ ସତର୍କତା ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅଭିଭାବକମାନଙ୍କୁ ମଧ୍ୟ ଛୋଟମାନେଙ୍କୁ ହାଲୁକା ପୋଷାକ ପିନ୍ଧାଇବା, ପର୍ଯ୍ୟାପ୍ତ ପାଣି ଦେଇ ପଠାଇବା ଓ ଅତ୍ୟାଧିକ ଗରମରୁ ସୁରକ୍ଷିତ ରଖିବାକୁ ଅନୁରୋଧ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା କିଛି ଦିନ ଯାଏଁ ତାପମାତ୍ରା ଅଧିକ ରହିବାର ସମ୍ଭାବନା ବ୍ୟକ୍ତ କରାଯାଇଥିବାରୁ ପ୍ରଶାସନ ଆଗାମୀ ଦିନରେ ପୁନଃ ସ୍ଥିତି ସମୀକ୍ଷା କରି ପ୍ରୟୋଜନୀୟ ନିଷ୍ପତ୍ତି ନେବାକୁ କହିଛି।



