
ଭୁବନେଶ୍ୱର: ଓଡ଼ିଶା ସରକାର ଦୁଇ ଦିନ ମଧ୍ୟରେ ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡକୁ ପୁନର୍ଗଠନ କରିଛନ୍ତି। ସାମାଜିକ ସୁରକ୍ଷା ଓ ନିଶକ୍ତ ସଶକ୍ତିକରଣ ବିଭାଗ ପକ୍ଷରୁ ଏପ୍ରିଲ ୨୧ରେ ପ୍ରଥମ ଅଧିସୂଚନା ଜାରି ହୋଇଥିଲା, କିନ୍ତୁ ଏପ୍ରିଲ ୨୩ରେ ସେହି ଅଧିସୂଚନାକୁ ବାତିଲ୍ କରି ନୂତନ ଅଧିସୂଚନା ଜାରି କରାଯାଇଛି।
ନୂଆ ଅଧିସୂଚନା ଅନୁସାରେ, ରାଜ୍ୟରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କର ପୁନର୍ବାସ, କଲ୍ୟାଣ ଓ ଅଧିକାର ସୁରକ୍ଷା ପାଇଁ ବୋର୍ଡ ଗଠନ କରାଯାଇଛି।
ଏହି ବୋର୍ଡର ଅଧ୍ୟକ୍ଷ ଭାବେ ବିଭାଗୀୟ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ, ଉପାଧ୍ୟକ୍ଷ ଭାବେ ପ୍ରଧାନ ସଚିବ କିମ୍ବା କମିଶନର-ସହ-ସଚିବ କାର୍ଯ୍ୟ କରିବେ। ବିଭାଗର ନିର୍ଦ୍ଦେଶକଙ୍କୁ ସଦସ୍ୟ-ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।
ଏଥିସହ ଡିଜିପି ଓ ବିଭିନ୍ନ ବିଭାଗର ପ୍ରତିନିଧିମାନେ ବୋର୍ଡର ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ହେବେ। ସରକାର କହିଛନ୍ତି, ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାନ୍ସଜେଣ୍ଡର ମାନଙ୍କର ସୁରକ୍ଷା ଓ ସମଗ୍ର କଲ୍ୟାଣକୁ ସୁନିଶ୍ଚିତ କରିବା।



