ମୁଖ୍ୟ ଖବର

ପବନ ଖେରାଙ୍କୁ ବଡ଼ ଝଟକା: ଗୁଆହାଟୀ ହାଇକୋର୍ଟରେ ଆଗୁଆ ଜାମିନ ଖାରଜ

କଂଗ୍ରେସ ନେତା Pawan Kheraଙ୍କ ପାଇଁ ଆଇନୀ ଜଟିଳତା ଆହୁରି ଗଭୀର ହୋଇଛି। Gauhati High Court ଶୁକ୍ରବାର ତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛି। ଏହା ଫଳରେ ଖେଡାଙ୍କ ପାଇଁ ଆଗାମୀ ଦିନରେ ଆଇନୀ ଚାପ ବଢ଼ିବା ସମ୍ଭାବନା ଜୋରଦାର ହୋଇଛି।

ଏହି ମାମଲାର ମୂଳରେ ରହିଛି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ବିରୋଧରେ ଖେଡାଙ୍କ କରାଯାଇଥିବା ବିବାଦସ୍ପଦ ମନ୍ତବ୍ୟ। ଖେଡା ଅଭିଯୋଗ କରିଥିଲେ ଯେ, ରିନିକିଙ୍କ ପାଖରେ ୟୁଏଇ, ଇଜିପ୍ଟ ଓ ଆଣ୍ଟିଗୁଆ-ବାର୍ବୁଡାର ପାସପୋର୍ଟ ରହିଛି ଏବଂ ବିଦେଶରେ ବହୁ ସମ୍ପତ୍ତି ଅଛି। ଏହି ଅଭିଯୋଗକୁ ନିରାଧାର ଓ ମାନହାନିକର ବୋଲି କହି ରିନିକି ତାଙ୍କ ବିରୋଧରେ ଏତଲା ଦାଖଲ କରିଥିଲେ।

ଏତଲା ପରେ ଆସାମ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ଏବଂ ଏପ୍ରିଲ ୭ରେ ଖେଡାଙ୍କ ଦିଲ୍ଲୀ ନିବାସକୁ ଯାଇଥିଲେ, କିନ୍ତୁ ସେଠାରେ ସେ ମିଳିନଥିଲେ। ଏହା ପରେ ଖେଡା ବିଭିନ୍ନ ଆଇନୀ ପଥ ଅନୁସରଣ କରିଥିଲେ।

ପରବର୍ତ୍ତୀ ସମୟରେ ତେଲଙ୍ଗାନା ହାଇକୋର୍ଟ ଖେଡାଙ୍କୁ ଏକ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ, ଯାହା ତାଙ୍କ ପାଇଁ ଏକ ଅସ୍ଥାୟୀ ରାହତ ଥିଲା। କିନ୍ତୁ ଆସାମ ପୁଲିସ ଏହି ଆଦେଶକୁ ଆପତ୍ତି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ସୁପ୍ରିମକୋର୍ଟ ତେଲଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ଆଦେଶ ଉପରେ ରହିତାଦେଶ ଜାରି କରିଥିବା ସହିତ ଖେଡାଙ୍କୁ ଗୁଆହାଟୀ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। ଏହା ପରେ ଖେଡା ଗୁଆହାଟୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।

ତେବେ ଗୁଆହାଟୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେବାରୁ ବର୍ତ୍ତମାନ ତାଙ୍କ ପାଇଁ ଆଇନୀ ସଙ୍କଟ ଆହୁରି ଗଭୀର ହୋଇଛି। ଏହି ରାୟ ପରେ ଖେଡା ଆଗକୁ କେଉଁ ଆଇନୀ ପଦକ୍ଷେପ ନେବେ, ସେଥିପାଇଁ ରାଜନୈତିକ ମହଳରେ ଆଗ୍ରହ ବଢ଼ିଛି।

ଏହି ମାମଲା ରାଜନୈତିକ ଓ ଆଇନୀ ଦୁଇ ମଞ୍ଚରେ ଚର୍ଚ୍ଚାର ବିଷୟ ହୋଇପାରିଛି ଏବଂ ଏହା ଆଗାମୀ ଦିନରେ ଆଉ ଗଭୀର ରୂପ ନେବାର ସମ୍ଭାବନା ରହିଛି।

Show More

Related Articles

Back to top button