
ତେହରାନ: ଆମେରିକା ଓ ଇସ୍ରାଏଲ ସହ ତୀବ୍ର ହିଂସା ଓ ଯୁଦ୍ଧ ପରିସ୍ଥିତି ପରେ ତେହରାନର ଇମାମ କୋମେନେଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ପ୍ରାୟ ୨ ମାସ ଧରି ବନ୍ଦ ଥିବା ଇମାମ କୋମେନେଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୁନର୍ବାର ବ୍ୟବସାୟିକ ବିମାନ ସେବା ଆରମ୍ଭ ହୋଇଛି। ଯୁଦ୍ଧ ପରେ ପ୍ରଥମଥର ପାଇଁ ଏଠାରୁ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ଆରମ୍ଭ କରିଛି, ଯାହାକୁ ନେଇ ସାଧାରଣ ଜୀବନ ଧୀରେ ଧୀରେ ସାଧାରଣ ଅବସ୍ଥାକୁ ଫେରୁଥିବା ଇଙ୍ଗିତ ମିଳୁଛି।
ସ୍ଥାନୀୟ ମାଧ୍ୟମ ଅନୁସାରେ, ତେହରାନରୁ ଇସ୍ତାନବୁଲ, ଓମାନର ମସ୍କାଟ ଓ ମଦିନାକୁ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ଆସନ୍ତା ଦିନରେ ଅନ୍ୟାନ୍ୟ ଦେଶକୁ ମଧ୍ୟ ଉଡାଣ ସେବା ବୃଦ୍ଧି କରାଯିବା ଯୋଜନା ରହିଛି।
ଆମେରିକା ସହ ଯୁଦ୍ଧ ବିରତି ଲାଗୁ ହେବା ପରେ ଇରାନ ତାଙ୍କ ଆକାଶ ପଥକୁ ପୁନର୍ବାର ଖୋଲିଥିଲା। ଏହା ପରେ ବ୍ୟବସାୟିକ ବିମାନ ଚଳାଚଳ ଆରମ୍ଭ ହେବା ଅଞ୍ଚଳରେ ସ୍ଥିତି ସ୍ଥିର ହେଉଥିବାର ସଙ୍କେତ ଦେଉଛି।
ଏହା ସହିତ ରାଜନୈତିକ ମଞ୍ଚରେ ମଧ୍ୟ ଗତିବିଧି ବଢ଼ିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଅରାଘଚି ପାକିସ୍ତାନ ଗସ୍ତ କରି ସେଠାର ମିଲିଟାରୀ ଓ ରାଜନୈତିକ ନେତୃବୃନ୍ଦଙ୍କ ସହ ଦୁଇ ପର୍ଯ୍ୟାୟର ବୈଠକ କରିଛନ୍ତି। ଏହି ବୈଠକ ପରେ ହିଁ ଆକାଶ ପଥ ଖୋଲାଯାଇଥିବାରୁ ଏହାକୁ କୂଟନୀତିକ ପଦକ୍ଷେପ ସହ ଜଡିତ ବୋଲି ଦେଖାଯାଉଛି।
ସେହିପରି ଶନିବାର ଆମେରିକାରର ଏକ ପ୍ରତିନିଧି ଦଳ ପାକିସ୍ତାନ ପହଞ୍ଚିବାକୁ ଯାଉଛି। ଷ୍ଟିଭ ୱିଟକଫ ଓ ଜାରେଡ କୁଶନେର ପାକିସ୍ତାନରେ ଇରାନ ସହ ଦ୍ୱିତୀୟ ପର୍ଯ୍ୟାୟର ଶାନ୍ତି ଆଲୋଚନାରେ ଭାଗ ନେବେ ବୋଲି ଖବର ମିଳିଛି। ତଥାପି, ଇରାନ ସିଧାସଳଖ ଆମେରିକା ସହ ଶାନ୍ତି ଆଲୋଚନାକୁ ସମ୍ମତି ଦେଇଛି କି ନାହିଁ, ସେଥି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ ବାକାଇ କହିଛନ୍ତି ଯେ, ପାକିସ୍ତାନ ମଧ୍ୟସ୍ଥ ଭୂମିକା ନିଭାଇ ଆଞ୍ଚଳିକ ଶାନ୍ତି ପାଇଁ ଚେଷ୍ଟା କରୁଛି। ଯୁଦ୍ଧ ଜନିତ ଉତ୍ତେଜନା କମେଇବା ଓ ଶାନ୍ତି ସ୍ଥାପନା ବୈଠକର ମୂଳ ଲକ୍ଷ୍ୟ ଥିବା ସେ ସ୍ପଷ୍ଟ କରିଛନ୍ତି।
ତେବେ ଇରାନ ପକ୍ଷରୁ ସିଧାସଳଖ ଆମେରିକା ସହ ଆଲୋଚନାର କୌଣସି ଯୋଜନା ନଥିବା କହାଯାଇଥିବା ବେଳେ, ପାକିସ୍ତାନ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ମତ ପ୍ରକାଶ ହୋଇନାହିଁ। ଏହି ପରିସ୍ଥିତି ମଧ୍ୟରେ ଆଗାମୀ କିଛି ଦିନ ଆଞ୍ଚଳିକ ରାଜନୀତି ପାଇଁ ନିର୍ଣ୍ଣାୟକ ହେବ ବୋଲି ମନେ କରାଯାଉଛି।



