ଇଡିକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଅନ୍ୟ ସଂସ୍ଥାର କାର୍ଯ୍ୟରେ ହସ୍ତକ୍ଷେପ କରନାହିଁ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସମ୍ପୃକ୍ତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ନିଜ ଅଧିକାର ସୀମା ମଧ୍ୟରେ ରହିବା ସହ ଅନ୍ୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟରେ ହସ୍ତକ୍ଷେପ ନକରିବାକୁ ଖଣ୍ଡପୀଠ କହିଛନ୍ତି।
ବୁଧବାର ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଓ ଜଷ୍ଟିସ୍ ଭି. ମୋହନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ ଯେ, ଇଡି ନିଜ ଦାୟିତ୍ୱ ଅନୁଯାୟୀ ତଦନ୍ତ କରି ପ୍ରମାଣ ସଂଗ୍ରହ କରିଛି ଏବଂ ଅଭିଯୋଗ ଦାଖଲ କରିଛି। ଏବେ ରାଜ୍ୟ ସରକାରଙ୍କୁ ନିଜ ଦାୟିତ୍ୱ ତୁଲାଇବାକୁ ଦିଆଯାଉ। ଅନ୍ୟ ସଂସ୍ଥାର କାର୍ଯ୍ୟକ୍ଷେତ୍ରରେ ଅଯଥା ଦଖଲ ନଦେବାକୁ ଅଦାଲତ ପରାମର୍ଶ ଦେଇଛନ୍ତି।
ଏହି ମାମଲାରେ କେରଳ ହାଇକୋର୍ଟଙ୍କ ଅକ୍ଟୋବର ୯ ତାରିଖର ଆଦେଶ ଉପରେ ସୁପ୍ରିମକୋର୍ଟ ସାତ ଦିନ ପାଇଁ ସାମୟିକ ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ଆବେଦନକାରୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ୍ କରିପାରିବେ। ତେବେ ଏହା ଏଫ୍ଆଇଆର୍ ଉପରେ ସ୍ଥାୟୀ ରହିତାଦେଶ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ସୂଚନାନୁସାରେ, ପିନାରାଇ ବିଜୟନ, ତାଙ୍କ ଝିଅ ଭିଣା ଟି. ଓ ଜ୍ୱାଇଁଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ରହିଛି। ବିଜୟନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ଝିଅ ଓ ଜ୍ୱାଇଁଙ୍କ କମ୍ପାନୀ ଏକ୍ସାଲୋଜିକ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍କୁ ସରକାରୀ ପାଣ୍ଠିରୁ ୨.୭୮ କୋଟି ଟଙ୍କା ଅନୁଚିତ ଭାବେ ଦିଆଯାଇଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗକୁ ନେଇ ଏଫ୍ଆଇଆର୍ ରୁଜୁ କରିବାକୁ କେରଳ ହାଇକୋର୍ଟ ପୁଲିସକୁ ଅନୁମତି ଦେଇଥିଲେ। ଉକ୍ତ ଆଦେଶକୁ ଚ୍ୟାଲେଞ୍ଜ୍ କରି ବିଜୟନ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଛନ୍ତି।



