ବଲାଙ୍ଗିର ସର୍କିଟ ହାଉସ୍ ପରିସରରେ ଅଞ୍ଚଳବାସୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 25 ଏପ୍ରିଲ- ବଲାଙ୍ଗିରରେ ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ । ଆଜି ବଲାଙ୍ଗିର ସର୍କିଟ ହାଉସ୍ ପରିସରରେ ଅଞ୍ଚଳବାସୀଙ୍କୁ ଭେଟି ସେମାନଙ୍କ ସୁଖ-ଦୁଃଖ ଓ ସମସ୍ୟା ସମ୍ପର୍କରେ ପ୍ରତ୍ୟକ୍ଷ ଆଲୋଚନା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସ୍ୱର ହିଁ ସର୍ବୋପରି। ପ୍ରତିଟି ଅଭିଯୋଗର ଉଚିତ୍ ଅନୁଧ୍ୟାନ କରି ତୁରନ୍ତ ସମାଧାନ କରିବା ପାଇଁ ମୁଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଲୋକଙ୍କ ଆସ୍ଥା ଓ ଅକୁଣ୍ଠ ଭଲପାଇବା ହିଁ ଆମକୁ ଜନହିତକର କାର୍ଯ୍ୟ କରିବା ପାଇଁ ଅସୀମ ପ୍ରେରଣା ଓ ଶକ୍ତି ଯୋଗାଉଛି।
ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଲୋକାଭିମୁଖୀ କରିବା ସହିତ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ସରକାରୀ ସେବା ପହଞ୍ଚାଇବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦରେ ଆମେ ଏକ ସଶକ୍ତ, ସ୍ୱାଭିମାନୀ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଦୃଢ଼ ସଂକଳ୍ପର ସହ ଆଗେଇ ଚାଲିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।



