Breaking PLUSଦେଶମୁଖ୍ୟ ଖବର

ମନ୍‌ କି ବାତ୍‌ରେ ବିଦେଶୀ ପକ୍ଷୀ ଫ୍ଲେମିଙ୍ଗୋ, ହାତୀ ଓ କୃଷ୍ଣସାର ମୃଗ କଥା ଉଠାଇଲେ ମୋଦି

ନୂଆଦିଲ୍ଲୀ- ମନ୍‌ କି ବାତ୍‌ରେ ଗୁଜରାଟ କଚ୍ଛର ସୌନ୍ଦର୍ଯ୍ୟ ବଢ଼ାଉଥିବା ବିଦେଶୀ ପକ୍ଷୀ ଫ୍ଲେମିଙ୍ଗୋ କଥା ଉଠାଇଲେ ମୋଦି । ବର୍ଷା ସରୁ ସରୁ ଲକ୍ଷ ଲକ୍ଷ ଫ୍ଲେମିଙ୍ଗୋ କଚ୍ଛମୁହାଁ ହୋଇଥାନ୍ତି। କଚ୍ଛକୁ ଫ୍ଲେମିଙ୍ଗୋ ସିଟି କୁହାଯାଏ। ପରିବେଶ ସନ୍ତୁଳନ ରକ୍ଷା କରିବାରେ ବି ବେଶ୍ ସହାୟକ ହୋଇଥାନ୍ତି।

ବିଗତ କିଛିବର୍ଷ ଧରି ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରକୃତି ସଂରକ୍ଷଣକୁ ନେଇ ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି । ଏ କାହାଣୀଗୁଡ଼ିକ ଆମକୁ ନୂତନ ଆଶା ଦେଇଥାଏ ଏବଂ ଗର୍ବିତ କରିଥାଏ । ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କ ସହ କିଛି ଉଦାହରଣ ବାଣ୍ଟିବାକୁ ଚାହୁଁଛି । ଏହାକୁ ଶୁଣି ଆପଣମାନଙ୍କ ମନ ଖୁସି ହୋଇଯିବ । ସର୍ବପ୍ରଥମେ, କଚ୍ଛର ରଣ ଅଞ୍ଚଳ ବିଷୟରେ ଜାଣିବା । ବର୍ଷାଋତୁ ସରିବା ମାତ୍ରେ ଏଠିକାର ଭୂମି ଜୀବନ୍ତ ହୋଇଉଠେ । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାର ଫ୍ଲାମିଙ୍ଗୋ ଏଠାକୁ ଆସନ୍ତି । ସମଗ୍ର ଅଞ୍ଚଳ ଗୋଲାପୀ ରଙ୍ଗରେ ରଙ୍ଗୀନ ହୋଇଉଠେ । ସେଥିପାଇଁ ଏହି ଅଞ୍ଚଳକୁ ‘ଫ୍ଲେମିଙ୍ଗୋ ସିଟି’ କୁହାଯାଏ । ଏ ପକ୍ଷୀ ଏଇଠି ବସା ବାନ୍ଧନ୍ତି ଓ ଏହିଠାରେ ହିଁ ଛୁଆମାନଙ୍କୁ ବଡ଼ କରନ୍ତି । କଚ୍ଛର ଲୋକମାନେ ଏମାନଙ୍କୁ ‘ଲାଖାଜୀଙ୍କ ବରଯାତ୍ରୀ’ ବୋଲି କହନ୍ତି । ବର୍ତ୍ତମାନ ଲାଖାଜୀଙ୍କର ଏହି ବରଯାତ୍ରୀ କଚ୍ଛର ପରିବେଶ ସୁରକ୍ଷା ଦିଗରେ ଏକ ସୁନ୍ଦର ପ୍ରତୀକ ରୂପେ ବିବେଚିତ ହେଉଛନ୍ତି ।

ବନ୍ଧୁଗଣ, ଅନ୍ୟ ଏକ ପ୍ରସଙ୍ଗ ମଣିଷ ଓ ବନ୍ୟପ୍ରାଣୀଙ୍କ ପାରସ୍ପରିକ ସହଯୋଗ ଉପରେ ଆଧାରିତ । ଏ ପ୍ରସଙ୍ଗଟି ହେଉଛି ଉତ୍ତରପ୍ରଦେଶର । ସେଠାକାର ପାର୍ବତ୍ୟାଞ୍ଚଳରେ ଫସଲ ଅମଳ ସମୟରେ ହାତୀପଲ ଗାଁ ଆଡ଼କୁ ମାଡ଼ିଆସନ୍ତି, ଯଦ୍ଦ୍ୱାରା ସଂଘର୍ଷର ଆଶଙ୍କା ଦେଖାଦିଏ । କିନ୍ତୁ, ଏବେ ୟୁପିରେ ମଧ୍ୟ ‘ଗଜମିତ୍ର’ ଭଳି ପ୍ରୟାସ ଆରମ୍ଭ ହୋଇଛି । ଗାଁର ଲୋକମାନେ ହିଁ ଟିମ୍ ତିଆରି କରି ହାତୀମାନଙ୍କ ଉପରେ ଦୃଷ୍ଟି ରଖୁଛନ୍ତି । ବେଳ ଥାଉ ଥାଉ ସେମାନେ ଲୋକମାନଙ୍କୁ ସତର୍କ କରୁଛନ୍ତି। ଏହାଦ୍ୱାରା ହାତୀ-ମନୁଷ୍ୟ ସଂଘର୍ଷ କମୁଛି ଓ ଲୋକମାନଙ୍କର ଭରସା ବଢ଼ୁଛି ।

ବନ୍ଧୁଗଣ, ମଧ୍ୟଭାରତରୁ ବି ଏକ ଭଲ ଖବର ଆସିଛି । ଛତିଶଗଡ଼ରେ ପୁଣିଥରେ କୃଷ୍ଣସାର ମୃଗ ଦେଖାଗଲେଣି । ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା, କିନ୍ତୁ ନିୟମିତ ପ୍ରଚେଷ୍ଟା କରାଗଲା, ସଂରକ୍ଷଣ ବଢ଼ାଗଲା ଯଦ୍ଦ୍ୱାରା ଆଜି ଏମାନେ ପୁଣିଥରେ ଖୋଲାପଡ଼ିଆରେ ଦୌଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ହେଉଛି ଆମ ଲୁପ୍ତ ପ୍ରାୟ ଐତିହ୍ୟର ପୁନରାଗମନ । ଏପରି ଆଶା ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ ଅର୍ଥାତ୍ ଗୋଡ଼ାବଣ ପକ୍ଷୀ ସଂରକ୍ଷଣରେ ମଧ୍ୟ ଦେଖିବାକୁ ମିଳୁଛି । ଏ ପକ୍ଷୀ ଆମ ମରୁଭୂମି ଅଞ୍ଚଳର ପରିଚୟ ଥିଲେ । କିନ୍ତୁ ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଏ ପକ୍ଷୀ ବିଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିଲେ । କିନ୍ତୁ ବର୍ତ୍ତମାନ ଏମାନଙ୍କ ସଂରକ୍ଷଣ ପାଇଁ ବଡ଼ ଅଭିଯାନ ଆରମ୍ଭ ହୋଇଛି । ବୈଜ୍ଞାନିକ ଉପାୟ ଅବଲମ୍ବନ କରାଯାଉଛି । ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ନୂତନ ଜୀବନର ଆରମ୍ଭ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ।

ବନ୍ଧୁଗଣ, ପ୍ରକୃତି ଓ ମନୁଷ୍ୟ ଭିନ୍ନ ନୁହନ୍ତି । ଆମେ ପରସ୍ପରର ବନ୍ଧୁ । ଯେତେବେଳେ ଆମେ ପ୍ରକୃତିକୁ ବୁଝୁ, ତା’ର ସମ୍ମାନ କରୁ ଓ ତା’ସହିତ ସମତାଳରେ ଚାଲୁ, ସେତେବେଳେ ପରିବର୍ତ୍ତନ ସ୍ପଷ୍ଟ ରୂପେ ଦେଖିବାକୁ ମିଳେ । ଆଜି ଏପରି ପରିବର୍ତ୍ତନ ଦେଶର କୋଣ-ଅନୁକୋଣରୁ ନୂଆ ଆଶା ନେଇ ସାମ୍ନାକୁ ଆସିବାରେ ଲାଗିଛି ।

ମୋର ପ୍ରିୟ ଦେଶବାସୀଗଣ, ଉତ୍ତରପୂର୍ବ ହେଉଛି ଆମ ସମସ୍ତଙ୍କ ପାଇଁ ଅଷ୍ଟଲକ୍ଷ୍ମୀ । ଏଠି ପ୍ରଚୁର ପ୍ରତିଭା ରହିଛି । ଏତଦଭିନ୍ନ ଉତ୍ତରପୂର୍ବର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ । ‘ମନ୍ କି ବାତ୍’ରେ ବି ଆମେ ପ୍ରାୟତଃ ଉତ୍ତରପୂର୍ବର ଲୋକମାନଙ୍କ ଉପଲବଧି ସମ୍ପର୍କରେ ଚର୍ଚ୍ଚା କରିଆସିଛୁ । ଆଜି ସେପରି ଏକ ଉପଲବଧି ବିଷୟରେ ମୁଁ ଆପଣମାନଙ୍କ ସହ ଆଲୋଚନା କରିବି, ଆଉ ତାହା ହେଉଛି – ଉତ୍ତର-ପୂର୍ବ ବାଉଁଶ ସେକ୍ଟରୁର ସଫଳତା । ବନ୍ଧୁଗଣ, ଏକଦା ଯେଉଁ ଜିନିଷକୁ ବୋଝ ବୋଲି ବିବେଚନା କରାଯାଉଥିଲା, ଆଜି ତାହା ରୋଜଗାର, କାରବାର ଓ ନବସୃଜନକୁ ନୂଆ ଗତି ପ୍ରଦାନ କରୁଛି । ଆମ ମା’ଭଉଣୀମାନେ ହେଉଛନ୍ତି ଏହାର ସବୁଠାରୁ ବଡ଼ ଲାଭାର୍ଥୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାଉଁଶର ପରିଭାଷା ବଦଳିଯିବାରୁ କେତେ ବଡ଼ ପରିବର୍ତ୍ତନ ଆସିଛି । ବନ୍ଧୁଗଣ, ଇଂରେଜମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଆଇନ ଅନୁସାରେ ବାଉଁଶକୁ ବୃକ୍ଷ ରୂପେ ପରିଗଣିତ କରାଯାଉଥିଲା ଓ ଏହାସହ ଜଡ଼ିତ ନିୟମ ମଧ୍ୟ ଖୁବ୍ କଠୋର ଥିଲା । କୌଣସି ଜାଗାକୁ ବାଉଁଶ ନେଇଯିବା ମଧ୍ୟ କାଠିକର ପାଠ ଥିଲା । ଏହାଦ୍ୱାରା ଏଠିକାର ଲୋକମାନେ ବାଉଁଶ ସହ ଜଡ଼ିତ କୁଟୀରଶିଳ୍ପଠାରୁ ଦୂରେଇଗଲେ । ବନ୍ଧୁଗଣ, ୨୦୧୭ ମସିହାରେ ଆଇନରେ ପରିବର୍ତ୍ତନ କରି ଆମେ ବାଉଁଶକୁ ବୃକ୍ଷ ବର୍ଗରୁ ଅଲଗା କରିଦେଲୁ । ଏହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ । ଆଜି ସମଗ୍ର ଉତ୍ତରପୂର୍ବରେ ବାଉଁଶ କ୍ଷେତ୍ର ନିରନ୍ତର ଉନ୍ନତି କରିଚାଲିଛି । ଲୋକମାନେ ନିରନ୍ତର ନବସୃଜନ କରି ଏଥିରେ ମୂଲ୍ୟ ମିଶ୍ରଣ କରିଚାଲିଛନ୍ତି ।

Show More

Related Articles

Back to top button