ଟିଏମସି ପାଇଁ ପ୍ରଚାର କଲେ ଅରବିନ୍ଦ କେଜରିୱାଲ: ସୁରକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ରକୁ ତୀବ୍ର ଆକ୍ରମଣ,

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକ ପରିବେଶ ଦିନକୁ ଦିନ ତୀବ୍ର ହେଉଥିବା ବେଳେ, ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ବାଲିଗଞ୍ଜରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି ତୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରେ ଜୋରଦାର ପ୍ରଚାର କରିଛନ୍ତି। ଏହି ସଭାରେ ସେ କେବଳ ଟିଏମସି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଆହ୍ୱାନ କରିନଥିଲେ, ବରଂ କେନ୍ଦ୍ର ସରକାରଙ୍କ ନିର୍ବାଚନୀ ରଣନୀତି ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ତୀବ୍ର ଆକ୍ରମଣ ମଧ୍ୟ କରିଥିଲେ।
ସଭାରେ ଭାଷଣ ଦେଇ ଅରବିନ୍ଦ କେଜରିୱାଲ କହିଥିଲେ ଯେ ବଙ୍ଗର କିଛି ବିଧାନସଭା କ୍ଷେତ୍ରରେ ଅସାମାନ୍ୟ ଭାବେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହାକୁ ସେ ରାଜ୍ୟବାସୀଙ୍କ ପ୍ରତି ଅପମାନ ବୋଲି ବର୍ଣ୍ଣନା କରି କହିଥିଲେ, “ସାରା ଦେଶରୁ ସେନା ଆଣାଯାଉଛି, ଏହାର ଆବଶ୍ୟକତା କ’ଣ? ବଙ୍ଗର ଲୋକମାନେ କ’ଣ ଆତଙ୍କବାଦୀ?” ସେ କହିଥିଲେ ଯେ ପ୍ରାୟ ୩.୫ ଲକ୍ଷ ସାମରିକ କର୍ମଚାରୀଙ୍କ ମୁତୟନ ଦେଖାଉଛି ଯେ କେନ୍ଦ୍ର ସରକାର ଭୟଭୀତ ଅବସ୍ଥାରେ ଅଛି।
ଏହି ଅବସରରେ ସେ ବାଲିଗଞ୍ଜ ବିଧାନସଭା କ୍ଷେତ୍ରରୁ ଟିଏମସି ପ୍ରାର୍ଥୀ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ପକ୍ଷରେ ଜୋରଦାର ପ୍ରଚାର କରି ଭୋଟରମାନଙ୍କୁ ତାଙ୍କୁ ବିଜୟୀ କରିବାକୁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ ବଙ୍ଗର ଉନ୍ନତି ଓ ସ୍ଥିରତା ପାଇଁ ଟିଏମସିକୁ ଶକ୍ତିଶାଳୀ କରିବା ଆବଶ୍ୟକ।
ସେହିପରି, ଅରବିନ୍ଦ କେଜରିୱାଲ ବିଜେପି ସରକାରଙ୍କୁ ଟାର୍ଗେଟ କରି ଅଭିଯୋଗ କରିଥିଲେ ଯେ ତାଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ଚେଷ୍ଟା ହେଉଛି। ଭୋଟର ତାଲିକାରେ ମଧ୍ୟ ଅନିୟମିତତା ଥିବା କଥା ଉଲ୍ଲେଖ କରି ସେ ନିର୍ବାଚନ ପ୍ରକ୍ରିୟାର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଥିଲେ।
ରାଜନୀତିକ ବିଶ୍ଳେଷକମାନଙ୍କ ମତାନୁସାରେ, ଅରବିନ୍ଦ କେଜରିୱାଲlଙ୍କ ଏହି ପ୍ରଚାର ଟିଏମସି ପାଇଁ ଏକ ରଣନୀତିଗତ ସମର୍ଥନ ବୋଲି ଦେଖାଯାଉଛି। ଏହା ଏକ ପକ୍ଷରେ ବିପକ୍ଷ ଶିବିରକୁ ଏକତ୍ର କରିବାର ସଙ୍କେତ ଦେଉଥିବା ବେଳେ, ଅନ୍ୟପକ୍ଷରେ ବିଜେପି ବିରୋଧରେ ଯୁକ୍ତ ଆକ୍ରମଣକୁ ଆହୁରି ତୀବ୍ର କରିପାରେ।
ସମଗ୍ର ଘଟଣାକୁ ନେଇ ପଶ୍ଚିମବଙ୍ଗର ନିର୍ବାଚନୀ ପରିବେଶ ଆହୁରି ଗରମ ହୋଇଯାଇଛି ଏବଂ ଆଗାମୀ ଦିନରେ ରାଜନୀତିକ ମୁକାବିଲା ଆହୁରି ତୀବ୍ର ହେବା ସ୍ପଷ୍ଟ ହେଉଛି।



