


କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆଜି ରାଜ୍ୟର ୧୪୨ଟି ଆସନରେ ଭୋଟ ଗ୍ରହଣ ଚାଲିଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ପ୍ରାୟ ୩.୨୧ କୋଟି ଭୋଟର ତାଙ୍କର ମତାଧିକାର ପ୍ରୟୋଗ କରିବେ। ଏହି ପର୍ଯ୍ୟାୟ ପାଇଁ ୪୧,୦୦୩ଟି ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଥିବାବେଳେ ମୋଟ ୧୪୪୮ ଜଣ ପ୍ରାର୍ଥୀ ମଞ୍ଚରେ ଅଛନ୍ତି।
ଏହି ପର୍ଯ୍ୟାୟରେ ଭବାନୀପୁର ଆସନ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି, କାରଣ ସେଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରତ୍ୟେକ ବୁଥରେ ଭୋଟଗ୍ରହଣ ପ୍ରକ୍ରିୟାକୁ ୱେବକାଷ୍ଟିଂ ମାଧ୍ୟମରେ ନଜରରେ ରଖାଯାଉଛି।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।
ଆସନ୍ତା ମେ ୪ ତାରିଖରେ ପଶ୍ଚିମବଙ୍ଗ ସହିତ ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳର ଭୋଟଗଣନା ହେବ। ଏହା ପୂର୍ବରୁ ଏପ୍ରିଲ ୨୯ ସନ୍ଧ୍ୟା ୬ଟା ପରେ ଏକଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇବ।