କଳାହାଣ୍ଡିରେ ଭୂକମ୍ପ ଝଟକାରେ ଥରିଲା ଅନେକ ଅଞ୍ଚଳ
ଭୟରେ ଘରୁ ବାହାରିଲେ ଲୋକେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବୁଧବାର ସନ୍ଧ୍ୟାରେ ଅଚାନକ ଭୂକମ୍ପ ଝଟକା ଅନୁଭୂତ ହେବାରୁ ଜିଲ୍ଲାବାସୀ ଭୟଭୀତ ହୋଇପଡ଼ିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ୪୩ ମିନିଟ ସମୟରେ ଏହି ଝଟକା ଅନୁଭୂତ ହୋଇଥିବା ବେଳେ ପ୍ରାୟ ୨୦ ସେକେଣ୍ଡ ଧରି ମାଟି କମ୍ପିଥିବା ଅନୁଭବ କରାଯାଇଥିଲା।
ଜିଲ୍ଲା ମୁଖ୍ୟାଳୟ ସହିତଜୁନାଗଡ଼, ଧର୍ମଗଡ, କୋକସରା, ଜୟପାଟଣା , କଲମପୁର, ଓ ଉତ୍କେଲା ଭଳି ଅଞ୍ଚଳରେ ଏହି ଭୂକମ୍ପ ଝଟକା ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିଲା। କେତେକ ସ୍ଥାନରେ ଘର ଭିତରେ ଥିବା ବାସନକୁସନ୍ ଓ ଆସବାବପତ୍ର ହଲିବା ସହିତ ଶବ୍ଦ ହୋଇଥିଲା, ଯାହା ଲୋକମାନଙ୍କ ମଧ୍ୟରେ ଆତଙ୍କ ବଢ଼ାଇଥିଲା।
ଅନେକ ଅଞ୍ଚଳରେ ଘରର ଦିୱାଲ ଓ ଜଣାଲା କମ୍ପିବାର ଅନୁଭୂତି ମିଳିଥିବା ବେଳେ, ଲୋକମାନେ ଭୟରେ ଘରୁ ବାହାରି ଖୋଲା ସ୍ଥାନକୁ ଧାଉଥିଲେ। କେତେକ ଲୋକ ଘଟଣା ସମୟରେ ରାସ୍ତାକୁ ଆସି ଏକାଠି ହୋଇଥିଲେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଥିଲେ।
ଭୂକମ୍ପର ତୀବ୍ରତା ଓ କେନ୍ଦ୍ରବିନ୍ଦୁ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ତଥାପି, ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଏହା ମଧ୍ୟମ ମାପର ଝଟକା ହୋଇଥିବା ସନ୍ଦେହ କରାଯାଉଛି। ସଉଭାଗ୍ୟବଶତଃ, ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତ ସମ୍ବନ୍ଧୀୟ ଖବର ମିଳିନାହିଁ।
ଘଟଣା ପରେ ସ୍ଥାନୀୟ ପ୍ରଶାସନ ସଚେତନ ହୋଇପଡ଼ିଛି ଏବଂ ପରିସ୍ଥିତି ଉପରେ ନଜର ରଖୁଛି। ଆବଶ୍ୟକ ହେଲେ ଉଦ୍ଧାର ଓ ସହାୟତା ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ଲୋକମାନଙ୍କୁ ଅଫବାହକୁ ଅନୁସରଣ ନକରି ସତର୍କ ରହିବା ସହିତ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।
ଭୂକମ୍ପ ଘଟଣା ପରେ ଜିଲ୍ଲାରେ ଏକ ଭୟଭୀତ ପରିସ୍ଥିତି ଦେଖାଦେଇଥିବା ବେଳେ, ପ୍ରଶାସନ ପକ୍ଷରୁ ଲୋକଙ୍କୁ ଶାନ୍ତ ରହିବା ଓ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।



