କଳା ସଂସ୍କୃତି ଓ ସାହିତ୍ୟମୁଖ୍ୟ ଖବର

ସେବାୟତ ବିବାଦରେ ବନ୍ଦ ରହିଲା ଚାପ ନୀତି, ଶୃଙ୍ଖଳା ପାଇଁ ପ୍ରଶାସନର ହସ୍ତକ୍ଷେପ

ପୁରୀ: ଗତକାଲି ପ୍ରବଳ ପବନ ଓ ସେବାୟତମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଶ୍ରୀମନ୍ଦିରର ଚାପ ନୀତି ବାଧାପ୍ରାପ୍ତ ହୋଇଥିବା ବେଳେ, ଆଜି ପ୍ରଶାସନ ଏନେଇ କଡ଼ା ପଦକ୍ଷେପ ନେଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ହୋଇଥିବା ଜରୁରୀ ବୈଠକରେ ଚାପ ନୀତିକୁ ଶୃଙ୍ଖଳିତ ଭାବେ କରାଯିବାକୁ ସେବାୟତମାନେ ପ୍ରତିଶ୍ରୁତି ଦେଇଛନ୍ତି।

ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି ଯେ, ଘଟଣା ସମ୍ପର୍କରେ ଶ୍ରୀମନ୍ଦିର କମାଣ୍ଡରଙ୍କ ଠାରୁ ରିପୋର୍ଟ ମଗାଯାଇଛି ଏବଂ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନାଯୋଗ୍ୟ, ଚନ୍ଦନ ଯାତ୍ରାର ନବମ ଦିନରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଚାପ ଖେଳ ହୋଇପାରିନଥିଲା। ମଦନମୋହନ, ରାମକୃଷ୍ଣ ଓ ପଞ୍ଚପାଣ୍ଡବ ଚାପ ଡଙ୍ଗାରେ ବିଜେ ହୋଇ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ, କିନ୍ତୁ ଜଳକ୍ରୀଡା ଆରମ୍ଭ ହୋଇନଥିଲା।

ଚାପ ଉପରେ ଉପସ୍ଥିତିକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଜନ୍ମ ନେଇଥିଲା। ଗୋଟିଏ ପକ୍ଷ ରେକର୍ଡ ଅଫ୍ ରାଇଟ୍‌ସ ଆଧାରରେ ଦାବି କରିଥିବା ବେଳେ ଅନ୍ୟ ପକ୍ଷ ତାହାକୁ ବିରୋଧ କରିଥିଲେ। ବିବାଦ ତୀବ୍ର ରୂପ ଧାରଣ କରିବାରୁ ରାତ୍ରି ଚାପ ନୀତି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ପ୍ରଶାସନ ପକ୍ଷରୁ ସମାଧାନ ଉଦ୍ୟମ ହୋଇଥିଲେ ମଧ୍ୟ ସେତେବେଳେ କୌଣସି ସମାଧାନ ମିଳିନଥିଲା। ଫଳରେ ଚାପ ଖେଳ ଦର୍ଶନରୁ ବଞ୍ଚିତ ହୋଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏବେ ପ୍ରଶାସନ ହସ୍ତକ୍ଷେପ ପରେ ଆଗାମୀ ଦିନରେ ନୀତି ସୁଚାରୁ ଭାବେ ଚାଲିବାକୁ ଆଶା କରାଯାଉଛି।

Show More

Related Articles

Back to top button