
ନିରାକାରପୁର: ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତ ମହିଳା ହେଲେ ଗୋଡିପଡା ପଞ୍ଚାୟତ ତଳମୋଟା ଗ୍ରାମର ସୁଷମା ମହାରଣା (୪୪)।
ସୂଚନା ଅନୁସାରେ, ସୁଷମା ସକାଳେ ପ୍ରତିଦିନ ଭଳି ଶୌଚ ପାଇଁ ନିକଟସ୍ଥ ପଡିଆକୁ ଯାଇଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ। ବଜ୍ରପାତରେ ତାଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଥିଲା।
ଘଟଣା ପରେ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ତାଙ୍କୁ ତୁରନ୍ତ ଖୋର୍ଦ୍ଧା ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶବ ବ୍ୟବଛେଦ ପରେ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ସୁଷମା ଗରିବ ପରିବାରର ହେବାରୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଦେବାକୁ ଦାବି ହେଉଛି। ଏହି ଘଟଣାରେ ଜଙ୍କିଆ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।



