
ଭୁବନେଶ୍ୱରରେ ନାରୀ ସୁରକ୍ଷାକୁ ଆଉ ମଜବୁତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ଶକ୍ତିଶ୍ରୀ” ଆପ୍ର ଶୁଭାରମ୍ଭ କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ କଲେଜ-ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ଆପ୍କୁ ବିଶେଷ ଭାବେ ତିଆରି କରାଯାଇଛି।
ଏହି ଆପ୍ ମାଧ୍ୟମରେ ମହିଳାମାନେ କୌଣସି ଅଘଟଣ କିମ୍ବା ଅସୁବିଧା ସମୟରେ ସତ୍ୱର ଅଭିଯୋଗ ଦାଖଲ କରିପାରିବେ। ଆପ୍ରେ ୨୪×୭ ଆଲର୍ଟ ସିଷ୍ଟମ ରହିଛି, ଯାହା ଜରୁରୀ ସମୟରେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସୂଚନା ପହଞ୍ଚାଇବ। ଏହା ସହିତ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ମାଧ୍ୟମରେ ସହାୟତା ଯୋଗାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି।
ଶୈକ୍ଷିକ ପରିବେଶରେ ସୁରକ୍ଷା ବୃଦ୍ଧି କରିବା ସହିତ ଏହି ପଦକ୍ଷେପ ମହିଳାମାନଙ୍କ ମନରେ ଆତ୍ମବିଶ୍ୱାସ ଓ ସାହସ ବଢ଼ାଇବ ବୋଲି ସରକାର ଆଶା କରୁଛନ୍ତି। ମହିଳା ସଶକ୍ତିକରଣ ଦିଗରେ ଏହାକୁ ଏକ ମାଇଲସ୍ଟୋନ୍ ଭାବେ ଦେଖାଯାଉଛି।



