
ନୂଆଦିଲ୍ଲୀ: ୪୦ ବର୍ଷରୁ ଅଧିକ ବୟସ୍କ ଶ୍ରମିକମାନଙ୍କ ପାଇଁ ପ୍ରତିବର୍ଷ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। କେନ୍ଦ୍ର ଶ୍ରମମନ୍ତ୍ରୀ ଡା. ମନସୁଖ ମାଣ୍ଡବ୍ୟ ଗୁରୁବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।
ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ଶ୍ରମିକଙ୍କ ସୁରକ୍ଷା ଓ ସାମାଜିକ ସୁବିଧାକୁ ଅଧିକ ଶକ୍ତିଶାଳୀ କରାଯାଉଛି। ପ୍ରାରମ୍ଭିକ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଗୁରୁତର ରୋଗକୁ ସମୟରେ ଚିହ୍ନଟ କରି ଚିକିତ୍ସା ସୁବିଧା ଦିଆଯିବ।
ESIC ହସ୍ପିଟାଲ୍ ମାଧ୍ୟମରେ ଆବଶ୍ୟକ ଔଷଧ ଓ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯିବ। ନୂତନ ଶ୍ରମ ସଂଶୋଧନ ଅନୁଯାୟୀ ମହିଳାଙ୍କ ପାଇଁ ମାତୃତ୍ୱ ଛୁଟି ବୃଦ୍ଧି ସହ ‘ୱର୍କ ଫ୍ରମ୍ ହୋମ୍’ ସୁବିଧା ମଧ୍ୟ ରହିଛି।
ସରକାର କହିଛନ୍ତି, ଏହି ଯୋଜନା ଦେଶର ଶ୍ରମିକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଓ ସୁରକ୍ଷା ଦେବାରେ ସହାୟକ ହେବ।



