
ନୂଆଦିଲ୍ଲୀ: ଦେଶର ସ୍କୁଲ୍ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ନୀତି ଆୟୋଗ ପକ୍ଷରୁ ଏକ ବିସ୍ତୃତ ନୀତିଗତ ରିପୋର୍ଟ ପ୍ରକାଶ କରାଯାଇଛି। ନୀତି ଆୟୋଗର ସିଇଓ ନିଧି ଛିବ୍ବର ‘ସ୍କୁଲ୍ ଏଜୁକେସନ୍ ସିଷ୍ଟମ୍ ଇନ୍ ଇଣ୍ଡିଆ: ଟେମ୍ପୋରାଲ୍ ଆନାଲିସିସ୍ ଆଣ୍ଡ ପଲିସି ରୋଡମ୍ୟାପ୍ ଫର୍ କ୍ୱାଲିଟି ଏନହାନ୍ସମେଣ୍ଟ’ ଶୀର୍ଷକ ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି।
ରିପୋର୍ଟରେ ଗତ ଦଶବର୍ଷର ସ୍କୁଲ୍ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା ସହ ଗୁଣାତ୍ମକ ଉନ୍ନତି ପାଇଁ ୧୩ଟି ମୁଖ୍ୟ ସୁପାରିଶ ଦିଆଯାଇଛି। ଏଥିରେ ସ୍କୁଲ୍ ଭିତ୍ତିଭୂମି ସୁଦୃଢ଼ କରିବା, ଶିକ୍ଷକଙ୍କ ପ୍ରଶିକ୍ଷଣ, ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥା ବିସ୍ତାର, ସମାବେଶୀ ଶିକ୍ଷା ଏବଂ ପ୍ରଶାସନିକ ସୁଧାରକୁ ପ୍ରାଥମିକତା ଦିଆଯାଇଛି।
ପାଠଦାନ ପ୍ରଣାଳୀର ପରିବର୍ତ୍ତନ, ମୌଳିକ ଶିକ୍ଷାର ସୁଦୃଢତା, ବୃତ୍ତିମୂଳକ ଶିକ୍ଷା ଓ କୃତ୍ରିମ ବୁଦ୍ଧିମତା (AI)ର ବ୍ୟବହାରକୁ ମଧ୍ୟ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ଭାରତରେ ବର୍ତ୍ତମାନ ୧୪.୭୧ ଲକ୍ଷ ସ୍କୁଲ୍ରେ ୨୪.୬୯ କୋଟିରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟୁତ୍, ପରିଷ୍କାର ପାଇଖାନା, ଇଣ୍ଟରନେଟ୍ ଓ ସ୍ମାର୍ଟ କ୍ଲାସ୍ରୁମ୍ ସୁବିଧାରେ ଲକ୍ଷଣୀୟ ଉନ୍ନତି ହୋଇଥିବା ବେଳେ ଝିଅମାନେ ଓ ଏସ୍ସି-ଏସ୍ଟି ଛାତ୍ରଛାତ୍ରୀଙ୍କ ଭର୍ତ୍ତି ହାର ମଧ୍ୟ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।



