
ପଶ୍ଚିମବଙ୍ଗରେ ପୌରପାଳିକା ନିଯୁକ୍ତି ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଟିଏମସି ନେତା ଓ ପୂର୍ବତନ ମନ୍ତ୍ରୀ ସୁଜିତ ବୋଷଙ୍କୁ କୋଲକାତାରେ ଗିରଫ କରିଛି। ମମତା ବାନାର୍ଜୀ ସରକାରରେ ସେ ଅଗ୍ନିଶମ ସେବା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।
ସୂଚନା ଅନୁସାରେ, ସୁଜିତ ବୋଷ ସୋମବାର ସକାଳେ ତାଙ୍କ ପୁଅ ସମୁଦ୍ର ବୋଷଙ୍କ ସହ ସଲ୍ଟ ଲେକ୍ର ସିଜିଓ କମ୍ପ୍ଲେକ୍ସସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦକ୍ଷିଣ ଦମଦମ ପୌରପାଳିକାରେ ହୋଇଥିବା କଥିତ ବେଆଇନ ନିଯୁକ୍ତି ଏବଂ ଅର୍ଥ କାରବାର ମାମଲାରେ ତଦନ୍ତ ପରେ ତାଙ୍କୁ ଗିରଫ କରାଯାଇଛି।
ଇଡି ଅଭିଯୋଗ କରିଛି ଯେ, ଦକ୍ଷିଣ ଦମଦମ ସହ ରାଜ୍ୟର ଅନେକ ପୌର ସଂସ୍ଥାରେ ଶ୍ରମିକ, ଝାଡ଼ୁଦାର, କ୍ଲର୍କ, ପିଅନ, ଡ୍ରାଇଭର ଓ ସାନିଟାରୀ କର୍ମଚାରୀଙ୍କ ନିଯୁକ୍ତିରେ ବଡ଼ ଅନିୟମିତତା ହୋଇଥିଲା। ଏହି ମାମଲାରେ ଅର୍ଥ ଲେନଦେନର ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ତଦନ୍ତକାରୀ ସଂସ୍ଥା ହାତକୁ ପାଇଥିବା କୁହାଯାଇଛି।
ଏହାପୂର୍ବରୁ ଅକ୍ଟୋବର ୨୦୨୫ରେ ଇଡି ସୁଜିତ ବୋଷଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଥିଲା। ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ସେ ଏକାଧିକ ଇଡି ନୋଟିସ ପାଇଥିଲେ।



