ଅପରାଧଓଡ଼ିଶାମୁଖ୍ୟ ଖବର

ସୁନା ଗହଣା ଟଙ୍କା ବକେୟା ଅଭିଯୋଗରେ ଆସିକା ଏସଡିପିଓ ସନ୍ତୋଷ ଜେନା ନିଲମ୍ବିତ

ଭୁବନେଶ୍ୱର: ସୁନା ଅଳଙ୍କାର କିଣି ଟଙ୍କା ନଦେଇଥିବା ଅଭିଯୋଗରେ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ଓଡ଼ିଶା ଗୃହ ବିଭାଗ ପକ୍ଷରୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି।
ସୂଚନା ଅନୁସାରେ, ଆସିକାର ଜଣେ ଗହଣା ବ୍ୟବସାୟୀ ଅଭିଯୋଗ କରିଥିଲେ ଯେ, ଏସଡିପିଓ ସନ୍ତୋଷ ଜେନା ତାଙ୍କ ଦୋକାନରୁ ସୁନା ଅଳଙ୍କାର ନେଇଥିଲେ, କିନ୍ତୁ ତାହାର ମୂଲ୍ୟ ପ୍ରଦାନ କରିନଥିଲେ। ଏନେଇ ବ୍ୟବସାୟୀ ପୁଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟମନ୍ତ୍ରୀ ଅଭିଯୋଗ କକ୍ଷରେ ମଧ୍ୟ ଅଭିଯୋଗ କରିଥିଲେ।
ଘଟଣା ସମ୍ପର୍କିତ ଏକ ଭିଡିଓ ସେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ, ଯାହା ପରେ ହଟାଇ ଦିଆଯାଇଥିଲା। ପରେ ସେ ନିଜ ସାମାଜିକ ଗଣମାଧ୍ୟମ ଖାତା ମଧ୍ୟ ବନ୍ଦ କରିଦେଇଥିଲେ।
ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲା ପୁଲିସ ଅଧୀକ୍ଷକଙ୍କୁ ଏକ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଥିଲା। ଏସପିଙ୍କ ରିପୋର୍ଟ ଆଧାରରେ ଗୃହ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଗୃହ ବିଭାଗ ଜାରି କରିଥିବା ଆଦେଶରେ କୁହାଯାଇଛି ଯେ, ଓଡ଼ିଶା ସିଭିଲ ସର୍ଭିସ ନିୟମାବଳୀ-୧୯୬୨ର ଧାରା ୧୨(୧) ଅନୁଯାୟୀ ସନ୍ତୋଷ କୁମାର ଜେନାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି।
ନିଲମ୍ବନ ଅବଧିରେ ତାଙ୍କ ମୁଖ୍ୟାଳୟ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପୁଲିସ ମହାନିରୀକ୍ଷକଙ୍କ କାର୍ଯ୍ୟାଳୟରେ ନିର୍ଦ୍ଧାରିତ କରାଯାଇଛି। ସେ ଦକ୍ଷିଣାଞ୍ଚଳ ପୁଲିସ ମହାନିରୀକ୍ଷକଙ୍କ ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବେ ଏବଂ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ।
ନିଲମ୍ବନ ସମୟରେ ତାଙ୍କୁ ଓଡ଼ିଶା ସେବା ସଂହିତାର ନିୟମ ୯୦ ଅନୁଯାୟୀ ଜୀବିକା ଭତ୍ତା ପ୍ରଦାନ କରାଯିବ।

Show More

Related Articles

Back to top button