
ବିଦେଶ ଯାତ୍ରା ପ୍ରସ୍ତୁତ କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଝଟକା। ଏୟାର ଇଣ୍ଡିଆ ପକ୍ଷରୁ ୬ଟି ପ୍ରମୁଖ ଆନ୍ତର୍ଜାତୀୟ ରୁଟ୍ରେ ବିମାନ ସେବା ସାମୟିକ ଭାବେ ବନ୍ଦ କରାଯାଇଛି। ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା, ଆକାଶ ମାର୍ଗ ଉପରେ କଟକଣା ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ଏହାର କାରଣ ଭାବେ ଦର୍ଶାଯାଇଛି।
ବନ୍ଦ ହୋଇଥିବା ରୁଟ୍ଗୁଡ଼ିକ ମଧ୍ୟରେ ଦିଲ୍ଲୀ–ଶିକାଗୋ, ମୁମ୍ବାଇ–ନ୍ୟୁୟର୍କ, ଦିଲ୍ଲୀ–ସାଂଘାଇ, ଚେନ୍ନାଇ–ସିଙ୍ଗାପୁର, ମୁମ୍ବାଇ–ଢାକା ଏବଂ ଦିଲ୍ଲୀ–ମାଲେ ରୁଟ୍ ରହିଛି। ଏହି ସେବାଗୁଡ଼ିକ ଆସନ୍ତା ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି।
ତେବେ ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି ଯେ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଉଡ଼ାଣ ସେବା ସାଧାରଣ ଭାବେ ଚାଲୁ ରହିବ। ପ୍ରତି ମାସ ପ୍ରାୟ ୧୨୦୦ ଉଡ଼ାଣ ଜାରି ରହିବା ସହ ଉତ୍ତର ଆମେରିକା, ୟୁରୋପ, ୟୁକେ, ଅଷ୍ଟ୍ରେଲିଆ ଓ ଆଫ୍ରିକା ରୁଟ୍ରେ ଚଳାଚଳ ଜାରି ରହିବ।
ଏହି ନିଷ୍ପତ୍ତି ଫଳରେ ଅଗଷ୍ଟ ପର୍ଯ୍ୟନ୍ତ ବିଦେଶ ଯାତ୍ରୀମାନେ ବିକଳ୍ପ ବିମାନ ସେବା ଉପରେ ନିର୍ଭର କରିବା କିମ୍ବା ନିଜ ଯାତ୍ରା ତାରିଖ ପୁନଃନିର୍ଦ୍ଧାରଣ କରିବାକୁ ପଡ଼ିପାରେ। ଯାତ୍ରୀମାନଙ୍କୁ ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆର ଅଫିସିଆଲ୍ ମାଧ୍ୟମ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।



