ଓଡ଼ିଶାରେ ରେଳ ସଂଯୋଗକୁ ମିଳିବ ନୂଆ ଗତି, ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ ଘୋଷଣା

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ଭିତ୍ତିଭୂମି ଓ ସଂଯୋଗ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍ୟରେ ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରାଯାଉଛି।
ସେ ୧୮୪୦୭/୧୮୪୦୮ ପୁରୀ–କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ଘୋଷଣା କରି କହିଛନ୍ତି ଯେ, ଏହି ଟ୍ରେନ ପ୍ରଥମଥର ପାଇଁ ପୁରୀକୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିସ୍ତୃତ ଅଞ୍ଚଳ ସହ ସିଧାସଳଖ ରେଳ ସଂଯୋଗ ପ୍ରଦାନ କରିବ।
ଏହି ଟ୍ରେନ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ୍, ବଲାଙ୍ଗିର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, ଟିକିରି, ଲକ୍ଷ୍ମୀପୁର ରୋଡ୍, କାକିରିଗୁମା ଓ ଦାମନଯୋଡ଼ି ମାର୍ଗରେ ଚଳାଚଳ କରିବ। ଏଥିରୁ ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଉପକୃତ ହେବେ।
ରେଳମନ୍ତ୍ରୀ କହିଛନ୍ତି ଯେ, ଏହି ଟ୍ରେନ ସେବା ତୀର୍ଥଯାତ୍ରା, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଚାକିରି ଓ ବ୍ୟବସାୟିକ ଯାତାୟାତକୁ ଆହୁରି ସୁଗମ କରିବ। ବିଶେଷକରି କେବିକେ ଅଞ୍ଚଳ ଓ ଆଦିବାସୀ ପ୍ରଧାନ ଜିଲ୍ଲାଗୁଡ଼ିକ ଏଥିରୁ ବଡ଼ ଲାଭ ପାଇବେ।
ସେ କହିଛନ୍ତି ଯେ, ଓଡ଼ିଶାରେ ପ୍ରାୟ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଜୁନାଗଡ଼–ନବରଙ୍ଗପୁର, ନବରଙ୍ଗପୁର–ଜୟପୁର, ଜୟପୁର–ମାଲକାନଗିରି, ବରଗଡ଼–ନୂଆପଡ଼ା, ଗୁଣୁପୁର–ଥେରୁବାଲି, ଖୋର୍ଦ୍ଧା ରୋଡ୍–ବଲାଙ୍ଗିର ଓ ବିମଳାଗଡ଼–ତାଳଚେର ରେଳ ପ୍ରକଳ୍ପ ମୁଖ୍ୟ ଭାବେ ଚାଲିଛି।
ଦୀର୍ଘଦିନ ଧରି ଅପେକ୍ଷିତ ଖୋର୍ଦ୍ଧା ରୋଡ୍–ବଲାଙ୍ଗିର ରେଳ ପ୍ରକଳ୍ପର କାମ ଦ୍ରୁତଗତିରେ ଚାଲିଥିବା ବେଳେ ୨୦୨୭ ସୁଦ୍ଧା ଏହା ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।
ହାୱଡ଼ା–ଚେନ୍ନାଇ ମୁଖ୍ୟ ରେଳ କରିଡରରେ ଚାଲିଥିବା ଚାରି ଲାଇନ୍ ଓ କ୍ଷମତା ବୃଦ୍ଧି କାମ ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି। ଏହି କାମ ସରିଲେ ଭବିଷ୍ୟତରେ ଓଡ଼ିଶାରେ ପ୍ରାୟ ୫୦୦ ଅତିରିକ୍ତ ଟ୍ରେନ ଚଳାଚଳ କରିବାର କ୍ଷମତା ସୃଷ୍ଟି ହେବ ବୋଲି ସେ କହିଛନ୍ତି।
ଅମୃତ ଷ୍ଟେସନ ଯୋଜନା ଅଧୀନରେ ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ତାଳଚେର ଓ ବାରିପଦା ସମେତ ରାଜ୍ୟର ୫୯ଟି ରେଳ ଷ୍ଟେସନର ଆଧୁନିକୀକରଣ କାମ ଚାଲିଥିବା ମଧ୍ୟ ସେ କହିଛନ୍ତି।
ପୁରୀ–କୋଣାର୍କ ରେଳ ସଂଯୋଗ ପ୍ରକଳ୍ପ ପାଇଁ ନୂତନ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇ ସେ କହିଛନ୍ତି ଯେ, ଓଡ଼ିଶାର ସମସ୍ତ ଅଞ୍ଚଳର ସମତୁଳିତ ବିକାଶ ଓ ଉନ୍ନତ ସଂଯୋଗ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ।



