ମୁଖ୍ୟ ଖବରରାଜନୀତି

ତାମିଲନାଡୁ କ୍ୟାବିନେଟରେ ବିଭାଗ ବଣ୍ଟନ, ଗୃହ ଓ ପୁଲିସ ବିଭାଗ ନିଜ ପାଖରେ ରଖିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ତାମିଲନାଡୁର ନବଗଠିତ ସରକାରରେ ମୁଖ୍ୟମନ୍ତ୍ରୀ ଜୋସେଫ ଚନ୍ଦ୍ରଶେଖର ବିଜୟ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ଗୃହ, ପୁଲିସ, ସାଧାରଣ ପ୍ରଶାସନ ଓ ମହିଳା-ଶିଶୁ କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛନ୍ତି। ଏହାସହ ସେ ରାଜସ୍ୱ, ପୌର ପ୍ରଶାସନ, ନଗର ଓ ଜଳ ଯୋଗାଣ, ଯୁବ ସଶକ୍ତିକରଣ, ବୟସ୍କ ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗର ଦାୟିତ୍ୱ ମଧ୍ୟ ସମ୍ଭାଳିବେ।

ନୂତନ ସରକାରରେ ବରିଷ୍ଠ ନେତା କେ.ଏ. ସେଙ୍ଗୋଟାଇୟାନଙ୍କୁ ଅର୍ଥ ବିଭାଗ ଦିଆଯାଇଛି। ସେ ଅର୍ଥ, ପେନସନ ଓ ଭତ୍ତା ପରିଚାଳନାର ଦାୟିତ୍ୱରେ ରହିବେ। ଏହିପରି ସର୍ବକନିଷ୍ଠ ମନ୍ତ୍ରୀ ସେଲଭି ଏସ୍ କୀର୍ତ୍ତନାଙ୍କୁ ଶିଳ୍ପ ବିଭାଗ ଓ ନିବେଶ ପ୍ରୋତ୍ସାହନ ଦାୟିତ୍ୱ ଦିଆଯାଇଛି। ଜଣେ ମହିଳା ମନ୍ତ୍ରୀଙ୍କୁ ଏପରି ପ୍ରମୁଖ ବିଭାଗ ଦିଆଯିବା ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି।

ଏନ୍ ଆନନ୍ଦଙ୍କୁ ଗ୍ରାମୀଣ ବିକାଶ ଓ ଜଳସମ୍ପଦ ବିଭାଗ ମିଳିଛି। ସେ ଗ୍ରାମୀଣ ବିକାଶ, ପଞ୍ଚାୟତ, ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ, ଗ୍ରାମୀଣ ଋଣ ଓ ଜଳସେଚନ ପ୍ରକଳ୍ପ ତଦାରଖ କରିବେ। ଆଧବ ଅର୍ଜୁନଙ୍କୁ ଲୋକ ନିର୍ମାଣ ଓ କ୍ରୀଡ଼ା ବିକାଶ ବିଭାଗ ଦିଆଯାଇଛି। ସେ ରାଜପଥ, କୋଠା ନିର୍ମାଣ ଓ କ୍ଷୁଦ୍ର ବନ୍ଦର ସମ୍ପର୍କିତ କାର୍ଯ୍ୟ ମଧ୍ୟ ଦେଖିବେ।

ଡକ୍ଟର କେଜି ଅରୁଣରାଜଙ୍କୁ ସ୍ୱାସ୍ଥ୍ୟ, ଚିକିତ୍ସା ଶିକ୍ଷା ଓ ପରିବାର କଲ୍ୟାଣ ବିଭାଗ ମିଳିଛି। ପି. ଭେଙ୍କଟରମଣନ ଖାଦ୍ୟ ଓ ନାଗରିକ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବାବେଳେ ଗ୍ରାହକ ସୁରକ୍ଷା ଓ ମୂଲ୍ୟ ନିୟନ୍ତ୍ରଣ ଦେଖିବେ।

ଆର୍. ନିର୍ମଳକୁମାରଙ୍କୁ ଶକ୍ତି ସମ୍ପଦ ଓ ଆଇନ ବିଭାଗ ଦିଆଯାଇଛି। ତାଙ୍କ ଦାୟିତ୍ୱରେ ବିଦ୍ୟୁତ, ଅଣ-ପାରମ୍ପରିକ ଶକ୍ତି ବିକାଶ, ଆଇନ, ଅଦାଲତ, କାରାଗାର, ଦୁର୍ନୀତି ନିବାରଣ, ବିଧାନସଭା ଓ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ରହିବ।

ରାଜମୋହନଙ୍କୁ ସ୍କୁଲ ଶିକ୍ଷା, ତାମିଲ ବିକାଶ, ସୂଚନା ଓ ଲୋକସମ୍ପର୍କ ବିଭାଗ ଦିଆଯାଇଛି। ସେ ତାମିଲ ସଂସ୍କୃତି, ପ୍ରତ୍ନତତ୍ତ୍ୱ, ସରକାରୀ ଭାଷା, ଚଳଚ୍ଚିତ୍ର ପ୍ରଯୁକ୍ତିବିଦ୍ୟା, ଖବରକାଗଜ ନିୟନ୍ତ୍ରଣ ଓ ସରକାରୀ ପ୍ରେସ୍ କାର୍ଯ୍ୟ ମଧ୍ୟ ସମ୍ଭାଳିବେ।

ସେହିପରି ଡକ୍ଟର ଟି.କେ. ପ୍ରଭୁଙ୍କୁ ପ୍ରାକୃତିକ ସମ୍ପଦ ବିଭାଗ ଦିଆଯାଇଛି। ସେ ଖଣିଜ ଓ ଖଣି ପରିଚାଳନା ସମ୍ପର୍କିତ କାର୍ଯ୍ୟ ତଦାରଖ କରିବେ। ନୂତନ କ୍ୟାବିନେଟରେ ଅଭିଜ୍ଞ ଓ ଯୁବ ନେତାଙ୍କ ସମନ୍ୱୟ ରଖାଯାଇଥିବାବେଳେ ଉନ୍ନୟନ ଓ ପ୍ରଶାସନକୁ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହେଉଛି।

Show More

Related Articles

Back to top button