ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗୁରୁବାର କୋଲନରା ବ୍ଲକ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ଭଡ଼ାଘର ଓ ଅନ୍ୟ ୬ଟି ସ୍ଥାନରେ ଚଢ଼ଉ କରିଛି।
ଭିଜିଲାନ୍ସ ଅଧିକାରୀ ବୈଦେହୀ ବେହେରାଙ୍କ ନେତୃତ୍ବରେ ଏହି ଦଳ କାର୍ଯ୍ୟ କରୁଛି। ସୂଚନା ଅନୁଯାୟୀ; ରାୟଗଡ଼ା ଜିଲା କୋଲନରା ବ୍ଲକର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଶ୍ରୀ ନାୟକଙ୍କ ବ୍ରହ୍ମପୁର ଲୋଚାପଡ଼ାରେ ଥିବା ତିନି ମହଲା କୋଠା, ଜଗନ୍ନାଥପ୍ରସାଦ ଥୋଲଣ୍ଡା ବଡ଼ଦାଣ୍ଡ ସାହିସ୍ଥିତ ତାଙ୍କ ନିଜ ଘର, ବୁଗୁଡ଼ା ବାଲିପିଣ୍ଡି ସାହିରେ ଥିବା ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁର କମଲପୁରସ୍ଥିତ ଶ୍ବଶୁର ଘର, ରାୟଗଡ଼ା ସହରରେ ଥିବା ରୋହିତ କଲୋନୀର ନିଜ ଘର ଏବଂ କୋଲନରାର ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ କରିଛି। ସହକାରୀ ଯନ୍ତ୍ରୀ ଶ୍ରୀ ନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଯାଞ୍ଚ ସହ ଘରୁ ସୁନା ଅଳଙ୍କାର, ବ୍ୟାଙ୍କ ଓ ବୀମା କାଗଜପତ୍ର ସମେତ ଅନ୍ୟ ଦସ୍ତାବିଜ୍ ଦୁର୍ନୀତି ନିବାରଣ ବିଭାଗ ଜବତ କରିଛି।



