ସୌମ୍ୟ ହତ୍ୟା: ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, 2 ଜୁନ – ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା । ଆଉ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ । ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।
ମେ’ ୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ ବର୍ବରକାଣ୍ଡ ଘଟିଥିଲେ । ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା । ଅଭିଯୋଗକାରିଣୀ ଝିଅଙ୍କ କହିବା କଥା ସୌମ୍ୟ ରଞ୍ଜନ ତାଙ୍କ ସହିତ ଅସଦାଚରଣ କରିଥିଲେ । ଏମିତି କି ତାଙ୍କ ଡ୍ରେସକୁ ଚିରିଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେ ପୁଲିସ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।



