ମମତାଙ୍କ ସଙ୍ଗିନ ଅଭିଯୋଗ, ବିଜେପି ନିର୍ବାଚନକୁ ହାଇଜ୍ୟାକ କରିଛି

ବିଜେପି ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ନିର୍ବାଚନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ନିର୍ବାଚନ କମିଶନଙ୍କୁ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି।
କଲକାତାରେ ଟିଏମସି ଛାତ୍ର ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ମମତା କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ବିଭାଜନର ରାଜନୀତିକୁ ପ୍ରୋତ୍ସାହନ ଦେଉଛି। ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଲାଗି ପୁଲିସକୁ ବ୍ୟବହାର କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ମମତାଙ୍କ ଅଭିଯୋଗ ଅନୁଯାୟୀ, ଟିଏମସି ଶାସନ ସମୟରେ ପୁଲିସର ଭାବମୂର୍ତ୍ତି ଭଲ ଥିଲା। କିନ୍ତୁ ବିଜେପି ପୁଲିସ ବ୍ୟବସ୍ଥାକୁ ଏକ ‘ରାକ୍ଷସ ସଂସ୍ଥା’ରେ ପରିଣତ କରିଦେଇଛି। ତାଙ୍କ ସମର୍ଥକଙ୍କ ବିରୋଧରେ ପୁଲିସର ଅତ୍ୟାଚାରକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମମତା ଦୃଢ଼ ଭାବେ କହିଛନ୍ତି।
ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ବିଜେପିର ରାଜନୈତିକ ସ୍ୱାର୍ଥ ପୂରଣ ପାଇଁ ନିର୍ବାଚନୀ ବ୍ୟବସ୍ଥାକୁ ପ୍ରଭାବିତ କରାଯାଉଥିବା ମମତା ଅଭିଯୋଗ କରିଛନ୍ତି।



