ଗଙ୍ଗା ଏକ୍ସପ୍ରେସ୍ୱେରେ ଭୟଙ୍କର ଦୁର୍ଘଟଣା, ଥାର୍ ଓଲଟି ୪ ବନ୍ଧୁଙ୍କ ମୃତ୍ୟୁ

ହାପୁର: ଉତ୍ତରପ୍ରଦେଶର ହାପୁର ଜିଲ୍ଲାରେ ଗଙ୍ଗା ଏକ୍ସପ୍ରେସ୍ୱେରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ଥାର୍ ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାରେ ଓଲଟି ପଡ଼ିବାରୁ ଗାଡ଼ିରେ ଥିବା ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୧ଟା ୫୬ରେ ଗଙ୍ଗା ଏକ୍ସପ୍ରେସ୍ୱେରେ ଥାର୍ଟି ଓଲଟି ପଡ଼ିଥିବା ଖବର ମିଳିଥିଲା। ଗାଡ଼ିରେ ଥିବା ଯୁବକମାନେ ବଦାୟୁଁରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ଦ୍ରୁତଗତି ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି।
ମୃତକଙ୍କ ମଧ୍ୟରେ ସୁଖବୀର ଓ ଯସୱନ୍ତ ଦୁଇ ଭାଇ ଥିବା ବେଳେ ଯୋଗିନ୍ଦର ଓ ରବି ମଧ୍ୟ ପରସ୍ପର ଭାଇ ବୋଲି ଜଣାପଡ଼ିଛି। ଅନ୍ୟ ଦୁଇ ଯୁବକଙ୍କ ସହ ମଧ୍ୟ ପାରିବାରିକ ସମ୍ପର୍କ ଥିବା ସୂଚନା ମିଳିଛି।
ଦୁର୍ଘଟଣାର ଖବର ପାଇ ସିମ୍ଭାଓଲି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଯୁବକଙ୍କୁ ଉଦ୍ଧାର କରି ଶିଖେଡା ସିଏଚ୍ସିକୁ ପଠାଯାଇଥିଲା। ଏହାସହ ରାସ୍ତା ଉପରେ ଓଲଟି ପଡ଼ିଥିବା ଥାର୍କୁ ହଟାଇ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିଥିଲା ପୁଲିସ।
ଦୁର୍ଘଟଣା ପରେ କିଛି ସମୟ ପାଇଁ ଏକ୍ସପ୍ରେସ୍ୱେରେ ଯାତାୟାତ ପ୍ରଭାବିତ ହୋଇଥିଲା। ଗାଡ଼ିଟିକୁ ହଟାଯିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଥାର୍ କେଉଁ ପରିସ୍ଥିତିରେ ନିୟନ୍ତ୍ରଣ ହରାଇଲା, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଚଳାଇଛି।


