ନେପାଳରେ ବନ୍ୟା-ଭୂସ୍ଖଳନରେ ମୃତ୍ୟୁ ୧୦୦୩, ୩୯୧୬ ନିଖୋଜ

କାଠମାଣ୍ଡୁ: ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ନେପାଳ ସମେତ ପଡ଼ୋଶୀ ଚୀନ୍ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଚୀନ୍ରେ ୧୬ ଜଣ ପ୍ରାଣ ହରାଇଛନ୍ତି। ଦୁଇ ଦେଶକୁ ମିଶାଇ ମୃତକଙ୍କ ସଂଖ୍ୟା ୧୦୦୩ରେ ପହଞ୍ଚିଛି।
ନେପାଳର ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ, ଏବେ ମଧ୍ୟ ୩୯୧୬ ଜଣଙ୍କ ପତ୍ତା ମିଳୁନାହିଁ। ନିଖୋଜଙ୍କ ତାଲିକାରେ ୫୮୩ ଜଣ ବିଦେଶୀ ନାଗରିକ ଥିବା ସୂଚନା ମିଳିଛି। ଏହି ସଂଖ୍ୟାକୁ ଦୃଷ୍ଟିରେ ରଖି ଆଗକୁ ମୃତ୍ୟୁହାର ବଢ଼ିବାର ଆଶଙ୍କା ରହିଛି।

ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଓ ଖରାପ ପାଗ ମଧ୍ୟରେ ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ଅଭିଯାନ ଚଳାଇଛନ୍ତି। ଅନେକ ସ୍ଥାନରେ ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥା ଛିନ୍ନ ହୋଇଥିବାରୁ ଉଦ୍ଧାରକାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି। ତଥାପି ଏପର୍ଯ୍ୟନ୍ତ ୧୧,୮୧୪ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇସାରିଛି।
ବନ୍ୟାର ପ୍ରକୋପରେ ବହୁ ସଂଖ୍ୟାରେ ଘରଦ୍ୱାର ନଷ୍ଟ ହେବା ସହ ରାସ୍ତା, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ବ୍ୟାପକ କ୍ଷତି ପହଞ୍ଚିଛି। ଫଳରେ ଅନେକ ଅଞ୍ଚଳରେ ଜନଜୀବନ ସ୍ୱାଭାବିକ ହୋଇପାରିନାହିଁ। ନିଖୋଜଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜୋରଦାର ହେଉଥିବାରୁ ବିପର୍ଯ୍ୟୟର ପ୍ରକୃତ କ୍ଷୟକ୍ଷତି ଆହୁରି ବଢ଼ିବାର ସମ୍ଭାବନା ରହିଛି।


