OTET-୨୦୨୬ ଫଳ ପ୍ରକାଶ: ୬୪.୪୮% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ଘୋଷଣା ହୋଇଛି। ଚଳିତ ପରୀକ୍ଷାରେ ମୋଟ ୬୪.୪୮ ପ୍ରତିଶତ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫଳ ପ୍ରକାଶ ସମ୍ପର୍କରେ ସୂଚନା ଦିଆଯାଇଛି।
ଏଥର OTET ପାଇଁ ୯୭,୧୫୧ ଜଣ ଆବେଦନ କରିଥିଲେ। ତେବେ ୧୨,୪୨୦ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ଫଳରେ ୮୪,୭୩୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୩,୩୧୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପେପର୍-୧ର ଫଳାଫଳକୁ ଦେଖିଲେ, ୨୪,୯୯୧ ଜଣ ଏହି ପରୀକ୍ଷା ଦେଇଥିଲେ ଏବଂ ପାସ୍ ହାର ୬୮.୨୮ ପ୍ରତିଶତ ରହିଛି। ଅନ୍ୟପଟେ, ପେପର୍-୨ରେ ୫୯,୭୪୦ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିବାବେଳେ ପାସ୍ ହାର ୬୦.୬୮ ପ୍ରତିଶତ ରହିଛି।
ପରୀକ୍ଷାର୍ଥୀମାନେ ଆଜି ସନ୍ଧ୍ୟା ୬ଟା ପରଠାରୁ BSE ଓଡ଼ିଶାର ଅଧିକାରିକ ୱେବସାଇଟ୍ରେ ନିଜ ଫଳାଫଳ ଯାଞ୍ଚ କରିପାରିବେ। ସେପ୍ଟେମ୍ବର ୭ ତାରିଖ ପୂର୍ବାହ୍ନ ୧୧ଟା ପରେ ଆବଶ୍ୟକ ଫି’ ଦାଖଲ କରି ଡିଜିଟାଇଜ୍ଡ ସାର୍ଟିଫିକେଟ୍ ମଧ୍ୟ ଡାଉନଲୋଡ୍ କରିହେବ।
ଯେଉଁମାନେ ପରୀକ୍ଷାରେ ଯୋଗ୍ୟତା ହାସଲ କରିନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଓଏମ୍ଆର୍ ଉତ୍ତରଖାତା ଡାଉନଲୋଡ୍ର ସୁଯୋଗ ରହିଛି। ସେପ୍ଟେମ୍ବର ୫ରୁ ୧୨ ତାରିଖ ମଧ୍ୟରେ ବୋର୍ଡ ୱେବସାଇଟ୍ରୁ ଏହା ଡାଉନଲୋଡ୍ କରିପାରିବେ।
ସୂଚନା ଅନୁସାରେ, ଜୁଲାଇ ୫ ତାରିଖରେ OTET-୨୦୨୬ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।



