Breaking PLUSଶିକ୍ଷାସ୍ୱତନ୍ତ୍ର

ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ, ସମ୍ମାନିତ ହେବେ ଅବସରପ୍ରାପ୍ତ ଶିକ୍ଷକ

ଭୁବନେଶ୍ୱର: ଶିକ୍ଷକଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତାର ଭାବନାକୁ ଛାତ୍ରଛାତ୍ରୀଙ୍କ ମନରେ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ଚଳିତବର୍ଷ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।

ଏହି ଦିନ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦ୍ୟାଳୟ ପକ୍ଷରୁ ଚିହ୍ନଟ କରାଯିବ। ସେମାନଙ୍କୁ ସ୍କୁଲର କାର୍ଯ୍ୟକ୍ରମକୁ ଡାକି ସମ୍ମାନିତ କରିବା ସହ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବଦାନକୁ ସ୍ମରଣ କରାଯିବ। ଏହାଦ୍ୱାରା ପୂର୍ବତନ ଶିକ୍ଷକଙ୍କ ଅଭିଜ୍ଞତାକୁ ସମ୍ମାନ ଦେବା ସହ ନୂଆ ପିଢ଼ିକୁ ଗୁରୁ-ଶିଷ୍ୟ ପରମ୍ପରା ସମ୍ପର୍କରେ ଅବଗତ କରାଯିବ।

ଗୁରୁ ଦିବସ ଆୟୋଜନ ମାଧ୍ୟମରେ ଶିକ୍ଷକଙ୍କ ଭୂମିକା ଓ ସମାଜ ପ୍ରତି ସେମାନଙ୍କ ଅବଦାନକୁ ଛାତ୍ରଛାତ୍ରୀଙ୍କ ସାମ୍ନାକୁ ଆଣିବା ଉପରେ ବିଭାଗ ଗୁରୁତ୍ୱ ଦେଇଛି। ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ମନୋଭାବ ଗଢ଼ି ତୋଳିବା ଏହି ଆୟୋଜନର ଅନ୍ୟତମ ଉଦ୍ଦେଶ୍ୟ।

କାର୍ଯ୍ୟକ୍ରମ ଶେଷ ହେବା ପରେ ଏହାର ବିବରଣୀ ସହ ଫଟୋ ସଂଗ୍ରହ କରାଯିବ। ଜିଲ୍ଲାୱାରୀ ଭାବେ ସମସ୍ତ ତଥ୍ୟ ସଂକଳନ କରି ଓସେପା (OSEPA) କାର୍ଯ୍ୟାଳୟକୁ ପଠାଇବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ କୁହାଯାଇଛି।

ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ବିଦ୍ୟାଳୟ ନିଜସ୍ୱ ସ୍ତରରେ ଗୁରୁ ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବ। ଅବସରପ୍ରାପ୍ତ ଶିକ୍ଷକଙ୍କୁ ଆମନ୍ତ୍ରଣ କରି ସମ୍ମାନ ପ୍ରଦାନ ସହ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସମ୍ପନ୍ନ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ରହିଛି।

Show More

Related Articles

Back to top button