ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ସୋସିଆଲ ମିଡିଆରେ ସମୟ ନଷ୍ଟ ନକର

କଟକ: ଶିକ୍ଷକ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ଏକାଧିକ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବା, ପ୍ରଚାର ଓ ଅପପ୍ରଚାରର ଶିକାର ନହେବା ସହ ଦୃଢ଼ ସଂକଳ୍ପ ଓ ନିଷ୍ଠାର ସହ ପାଠପଢ଼ାରେ ମନୋନିବେଶ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଆୟୋଜିତ ଶିକ୍ଷକ ଦିବସ ସମାରୋହରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଥିଲେ। କ୍ୟାରିୟର ଗଠନକୁ ପ୍ରାଥମିକତା ଦେବା ସହ ନିଜ ଦକ୍ଷତା ବିକାଶ କରି ଦେଶର ପ୍ରଗତିରେ ଯୋଗଦାନ କରିବାକୁ ସେ କହିଥିଲେ।
ଶିକ୍ଷକ-ଛାତ୍ର ସମ୍ପର୍କକୁ ନେଇ ମାଝୀ କହିଥିଲେ, ବର୍ତ୍ତମାନ ସମୟରେ ଏହି ସମ୍ପର୍କ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ। ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ଅଭିଭାବକ ଓ ଗୁରୁଜନଙ୍କ ଆଶୀର୍ବାଦ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।
ଶିକ୍ଷା କେବଳ ଜ୍ଞାନ ପ୍ରଦାନର ମାଧ୍ୟମ ନୁହେଁ, ବରଂ ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ଅତୁଳନୀୟ ବୋଲି ସେ କହିବା ସହ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଅବସରରେ ସେ ‘କେଜିରୁ ପିଜି’ ମାଗଣା ଶିକ୍ଷା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨,୨୦୦ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ ଏବଂ ୪୫ ହଜାର ଶିଶୁ ବାଟିକା ଖୋଲାଯାଇଥିବା ସେ କହିଥିଲେ। ଆଗାମୀ ୩ ବର୍ଷରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମଧ୍ୟ ମାଝୀ ସୂଚନା ଦେଇଥିଲେ।
ଏହି ଅବସରରେ ଅଶୋକ କୁମାର ଶତପଥୀ, କୁମୁଦିନୀ ଜୀ, ଶକୁନ୍ତଳା ମହାନ୍ତି, ଦଇତାରୀ ସାହୁ ଓ ଜୟନ୍ତୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଶିକ୍ଷକଙ୍କ ଜ୍ଞାନ, ଛାତ୍ରଙ୍କ ପ୍ରତିଭା, ପୁରାତନ ଛାତ୍ରଙ୍କ ଅଭିଜ୍ଞତା ଓ ଜନସାଧାରଣଙ୍କ ସହଯୋଗରେ ଏକ ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସେ ଆହ୍ୱାନ ଦେଇଥିଲେ।



