୯ ନବନିଯୁକ୍ତ IASଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ କରି ରାଜ୍ୟକୁ ଫେରିଥିବା ୨୦୨୪ ବ୍ୟାଚର ୯ ଜଣ ନବନିଯୁକ୍ତ IAS ଅଧିକାରୀଙ୍କୁ ରାଜ୍ୟ ସରକାର ବିଭିନ୍ନ ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହ ସେମାନଙ୍କୁ ସମ୍ପୃକ୍ତ ଉପଖଣ୍ଡର Sub-Divisional Magistrate (SDM) ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି।
ସେପ୍ଟେମ୍ବର ୮ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।
କେଉଁ ଅଧିକାରୀଙ୍କୁ କେଉଁ ଦାୟିତ୍ୱ
- ଅନିମେଶ ପ୍ରଧାନ – ଆଠଗଡ଼ ଉପଜିଲ୍ଲାପାଳ ଓ SDM, କଟକ
- ପ୍ରଜ୍ଞାନନ୍ଦନ ଗିରି – ତାଳଚେର ଉପଜିଲ୍ଲାପାଳ ଓ SDM, ଅନୁଗୋଳ
- କସ୍ତୁରୀ ଶାହ – ଭବାନୀପାଟଣା ଉପଜିଲ୍ଲାପାଳ ଓ SDM, କଳାହାଣ୍ଡି
- ଫାବି ରାଶିଦ – କୋରାପୁଟ ଉପଜିଲ୍ଲାପାଳ ଓ SDM
- ମୃଣାଳିକା ରାଠୋର – ରାୟଗଡ଼ା ଉପଜିଲ୍ଲାପାଳ ଓ SDM
- ଶୁଭ୍ରା ପଣ୍ଡା – ଜୟପୁର ଉପଜିଲ୍ଲାପାଳ ଓ SDM, କୋରାପୁଟ
- ପବନ କୁମାର – ଟିଟିଲାଗଡ଼ ଉପଜିଲ୍ଲାପାଳ ଓ SDM, ବଲାଙ୍ଗୀର
- ଭଗତ ଶାମଲ କଲ୍ୟାଣରାଓ – ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଓ SDM, ଗଜପତି
- ସନ୍ତୋଷ କୁମାର ପାତ୍ର – ବଣାଇଗଡ଼ ଉପଜିଲ୍ଲାପାଳ ଓ SDM, ସୁନ୍ଦରଗଡ଼
ତୃଣମୂଳ ସ୍ତରରେ କାର୍ଯ୍ୟର ସୁଯୋଗ
ନବନିଯୁକ୍ତ ଅଧିକାରୀମାନେ ପ୍ରଥମେ ଉପଖଣ୍ଡ ସ୍ତରରେ କାର୍ଯ୍ୟ କରି ପ୍ରଶାସନିକ ଅଭିଜ୍ଞତା ହାସଲ କରିବେ। ଲୋକଙ୍କ ସମସ୍ୟାକୁ ତୃଣମୂଳ ସ୍ତରରେ ବୁଝି ତାହାର ସମାଧାନ କରିବା ସହ ସ୍ଥାନୀୟ ପ୍ରଶାସନରେ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବା ଏମାନଙ୍କ ପାଇଁ ପ୍ରମୁଖ ଦାୟିତ୍ୱ ରହିବ।
ଉପଖଣ୍ଡ ସ୍ତରରେ ଅଭିଜ୍ଞତା ହାସଲ ପରେ ଏହି ଅଧିକାରୀମାନେ ଭବିଷ୍ୟତରେ ଜିଲ୍ଲାସ୍ତରୀୟ ଦାୟିତ୍ୱ ତୁଲାଇବାର ସୁଯୋଗ ପାଇବେ। ଏହାସହ ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ ତୃଣମୂଳ ଗଣତନ୍ତ୍ରର ଏହି ବଡ଼ ପର୍ବରେ ପ୍ରଶାସନିକ ଦାୟିତ୍ୱ ତୁଲାଇବାରେ ମଧ୍ୟ ଏହି ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।



