Breaking PLUSଓଡ଼ିଶାମୁଖ୍ୟ ଖବର

ଦୁଗ୍ଧଚାଷୀଙ୍କୁ ବଡ଼ ଆଶ୍ୱସ୍ତି, ଲିଟର ପିଛା ୨ ଟଙ୍କା ବଢ଼ିଲା କ୍ଷୀର କ୍ରୟ ମୂଲ୍ୟ

ଭୁବନେଶ୍ୱର: ବଢ଼ୁଥିବା ଗୋଖାଦ୍ୟ ଓ ପରିବହନ ଖର୍ଚ୍ଚ ମଧ୍ୟରେ ରାଜ୍ୟର ଦୁଗ୍ଧଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ (ଓମ୍‌ଫେଡ୍‌) ପକ୍ଷରୁ ଚାଷୀଙ୍କଠାରୁ କ୍ଷୀର କ୍ରୟ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୧ରୁ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହେବ।

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗୋଖାଦ୍ୟର ମୂଲ୍ୟ ଓ ପରିବହନ ଖର୍ଚ୍ଚ ବଢ଼ିବାରୁ ପ୍ରାଥମିକ ଦୁଗ୍ଧ ସମବାୟ ସମିତିର ଚାଷୀମାନେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ଷୀର କ୍ରୟ ମୂଲ୍ୟ ବଢ଼ାଇବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ ବିଚାର କରିବାକୁ ଆଶ୍ୱାସନ ଦେଇଥିଲେ।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷରୁ ଅଧିକ ଦୁଗ୍ଧଚାଷୀ ଅଛନ୍ତି। ଓମ୍‌ଫେଡ୍‌ ପ୍ରତିଦିନ ଚାଷୀଙ୍କଠାରୁ ପ୍ରାୟ ୭ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରୁଛି। ନୂଆ ମୂଲ୍ୟ ଦ୍ୱାରା ଚାଷୀଙ୍କ ବଢ଼ିଥିବା ଗୋଖାଦ୍ୟ ଖର୍ଚ୍ଚର କିଛି ମାତ୍ରାରେ ସମାଧାନ ହୋଇପାରିବ।

ଓମ୍‌ଫେଡ୍‌ର ଗୋଖାଦ୍ୟ ଛତିଶଗଡ଼ରେ ମଧ୍ୟ ଉପଲବ୍ଧ ହେଉଥିବା ବେଳେ ଅନ୍ୟ ରାଜ୍ୟର ବଜାରରେ ଦୁଗ୍ଧଜାତ ସାମଗ୍ରୀର ବଜାର ବିସ୍ତାର ପାଇଁ ଯୋଜନା ରହିଥିବା ମନ୍ତ୍ରୀ କହିଛନ୍ତି। ଓମ୍‌ଫେଡ୍‌ର ଲାଭର ଅଧିକ ଅଂଶ ତୃଣମୂଳ ସ୍ତରର ଚାଷୀଙ୍କ ପାଖରେ ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।

Show More

Related Articles

Back to top button