ପଞ୍ଜାବ-ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ମିଶ୍ର

ଚଣ୍ଡିଗଡ଼: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ୍) ସରକାରଙ୍କ ତୀବ୍ର ବିରୋଧ ମଧ୍ୟରେ ଜଷ୍ଟିସ ଅଶ୍ୱିନୀ କୁମାର ମିଶ୍ର ସୋମବାର ପଞ୍ଜାବ ଓ ହରିୟାଣା ହାଇକୋର୍ଟର ୩୭ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି। ଚଣ୍ଡିଗଡ଼ସ୍ଥିତ ଲୋକ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପଞ୍ଜାବ ରାଜ୍ୟପାଳ ଗୁଲାବ ଚନ୍ଦ କଟାରିଆ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ଶପଥ ସମାରୋହରୁ ଦୂରେଇ ରହିଲେ ଭଗବନ୍ତ ମାନ
ଜଷ୍ଟିସ ମିଶ୍ରଙ୍କ ନିଯୁକ୍ତିକୁ ବିରୋଧ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନଥିଲେ। ଏହି ନିଯୁକ୍ତି ପୂର୍ବରୁ ପଞ୍ଜାବ ସରକାରଙ୍କ ସହମତି ନିଆଯାଇନଥିବା ନେଇ ସେ ଆପତ୍ତି ଉଠାଇଥିଲେ।
ଅନ୍ୟପକ୍ଷରେ ହରିୟାଣା ରାଜ୍ୟପାଳ ପ୍ରଫେସର ଅସୀମ କୁମାର ଘୋଷ ଓ ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନି ସମାରୋହରେ ଉପସ୍ଥିତ ଥିଲେ। ଶିରୋମଣୀ ଅକାଳୀ ଦଳ (ଏସଏଡି) ବିଧାୟକ ଗନିବ କୌର ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଜରୁରି ବୈଠକ ଡାକି ପ୍ରସ୍ତାବ ପାରିତ କରିଥିଲା ପଞ୍ଜାବ ସରକାର
ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ପଞ୍ଜାବ ସରକାର ସାମ୍ବାଦିକ ସମ୍ମିଳନୀ କରି ଜଷ୍ଟିସ ମିଶ୍ରଙ୍କ ନିଯୁକ୍ତିକୁ ବିରୋଧ କରିଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଜରୁରି ବୈଠକ ଡକାଯାଇ ନିଯୁକ୍ତି ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଥିଲା।
ପଞ୍ଜାବ ସରକାରଙ୍କ ସହମତି ନ ନିଆଯିବା ପର୍ଯ୍ୟନ୍ତ ଜଷ୍ଟିସ ମିଶ୍ରଙ୍କୁ ମୁଖ୍ୟ ବିଚାରପତି ଭାବେ ଶପଥ ନ ପାଠ କରାଇବାକୁ ପ୍ରସ୍ତାବରେ ଦାବି କରାଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ଏହି ଆପତ୍ତି କିମ୍ବା ପ୍ରସ୍ତାବର ଶପଥ ଗ୍ରହଣ ଉପରେ କୌଣସି ପ୍ରଭାବ ପଡ଼ିନଥିଲା।



