
ନୂଆଦିଲ୍ଲୀ: ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟୁଆର୍ଟ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ ଓରଫ ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନକୁ ଓଡ଼ିଶା ସରକାର ଖାରଜ କରିଛନ୍ତି। ଗୁରୁବାର ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି।
ଜଷ୍ଟିସ ମନୋଜ ମିଶ୍ର ଓ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଅଗଷ୍ଟ ୩୧ରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ଦ୍ୱାରା ଆବେଦନ ଖାରଜ ହୋଇଥିବା ଆଦେଶକୁ ରେକର୍ଡଭୁକ୍ତ କରିଛନ୍ତି। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉପଯୁକ୍ତ ସଂଶୋଧନ ଆବେଦନ ଦାଖଲ କରିବାକୁ ଦାରା ସିଂହଙ୍କ ଓକିଲଙ୍କୁ ଦୁଇ ସପ୍ତାହ ସମୟ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ ହେବ।
୬୩ ବର୍ଷୀୟ ଦାରା ସିଂହ ୨୫ ବର୍ଷରୁ ଅଧିକ ସମୟ ହେଲା କେନ୍ଦୁଝର ଜିଲ୍ଲା କାରାଗାରରେ ଅଛନ୍ତି। ୨୦୨୪ରେ ସେ ସୁପ୍ରିମକୋର୍ଟରେ ଆଗୁଆ ମୁକ୍ତି ପାଇଁ ଆବେଦନ କରିଥିଲେ। ୨୪ ବର୍ଷରୁ ଅଧିକ ସମୟ ପ୍ରକୃତ କାରାବାସ ଭୋଗିସାରିଥିବା ଏବଂ ନିଜ କାର୍ଯ୍ୟ ପାଇଁ ଅନୁତପ୍ତ ଥିବା ସେ ଦର୍ଶାଇଥିଲେ।
ତେବେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ କିଛି ତଥ୍ୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମୟରେ ତାଙ୍କୁ ଆଗୁଆ ମୁକ୍ତି ଦେବାକୁ ସୁପାରିସ କରିବାକୁ ଅନିଚ୍ଛା ପ୍ରକାଶ କରିଛି। ପୂର୍ବରୁ ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ମଧ୍ୟ ତାଙ୍କ ମୁକ୍ତି ଆବେଦନ ଖାରଜ ହୋଇଥିଲା।
୧୯୯୯ ଜାନୁଆରୀ ୨୨-୨୩ ରାତିରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗାଁରେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅ ଫିଲିପ୍ (୧୧) ଓ ଟିମୋଥି (୮) ଗାଡ଼ି ଭିତରେ ଶୋଇଥିବା ବେଳେ ଆକ୍ରମଣ କରାଯାଇଥିଲା। ଗାଡ଼ିରେ ନିଆଁ ଲଗାଇ ଦିଆଯିବାରୁ ତିନିଜଣଙ୍କ ମୃତ୍ୟୁ ହୋଇଥିଲା।
୨୦୦୩ରେ ସିବିଆଇ କୋର୍ଟ ଦାରା ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ ବଜାୟ ରଖିଥିଲେ।



