ଆଦିତ୍ୟ ଠାକରେଙ୍କୁ ୫୦୦ କୋଟିର ମାନହାନି ନୋଟିସ୍

ଦିବଙ୍ଗତ ଦିଶା ସାଲିଆନଙ୍କ ବାପା ସତୀଶ ସାଲିଆନ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏବଂ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ୫୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି। ୭ ଦିନ ମଧ୍ୟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା, ଦିଆଯାଇଥିବା ମନ୍ତବ୍ୟ ପ୍ରତ୍ୟାହାର ଏବଂ କ୍ଷତିପୂରଣ ଦେବାକୁ ନୋଟିସ୍ରେ ଦାବି କରାଯାଇଛି।
୨୦୨୦ ଜୁନ୍ ୮ରେ ମୁମ୍ବାଇର ମାଲାଡ୍ସ୍ଥିତ ଏକ ଉଚ୍ଚ ଅଟ୍ଟାଳିକାରୁ ଖସି ଦିଶାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାକୁ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ନେଇଥିଲା। ପରେ ଦିଶାଙ୍କ ବାପା ବମ୍ବେ ହାଇକୋର୍ଟରେ ଆବେଦନ କରି ମାମଲାରେ ଏଫ୍ଆଇଆର୍ ଓ ପୁନଃତଦନ୍ତ ଦାବି କରିଥିଲେ।
ନୋଟିସ୍ରେ ସତୀଶ ଅଭିଯୋଗ କରିଛନ୍ତି ଯେ, ଆଦିତ୍ୟ ଠାକରେ ମାମଲାକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିବା ସହ ତାଙ୍କୁ ମାମଲାରେ ଏକ ‘ଉପକରଣ’ ଭାବେ ବ୍ୟବହାର କରାଯାଉଥିବା ମନ୍ତବ୍ୟ ଦେଇଥିଲେ। ଅନିଲ ଦେଶମୁଖ ମଧ୍ୟ ଦିଶା ମାମଲାକୁ ଆଦିତ୍ୟଙ୍କୁ ବଦନାମ କରିବାର ଷଡ଼ଯନ୍ତ୍ର ବୋଲି କହିଥିବା ନୋଟିସ୍ରେ ଉଲ୍ଲେଖ ରହିଛି।
ଅନ୍ୟପକ୍ଷରେ ଆଦିତ୍ୟ ଠାକରେ ଦିଶାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ଏବଂ ସେ ତାଙ୍କୁ ଜାଣିନଥିବା କହିଛନ୍ତି। ତାଙ୍କୁ ଦିଶା ମାମଲା ସହ ବାରମ୍ବାର ଯୋଡ଼ିବାକୁ ସେ ରାଜନୈତିକ ଓ ବ୍ୟକ୍ତିଗତ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଦାବି କରିଛନ୍ତି।



