Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ପୌର ନିର୍ବାଚନ ପ୍ରସ୍ତୁତି: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ନୂଆ ସମୟସୂଚୀ

ଭୁବନେଶ୍ୱର: ଆଗାମୀ ପୌର ନିର୍ବାଚନକୁ ନଜରରେ ରଖି ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଂଶୋଧିତ ସମୟସୂଚୀ ଜାରି କରିଛି। ଏହି ଅନୁସାରେ ସେପ୍ଟେମ୍ବର ୨୪ ସୁଦ୍ଧା ପୌରସଂସ୍ଥା ଓ ଏନ୍ଏସିଗୁଡ଼ିକର ୱାର୍ଡ ସୀମା ଏବଂ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇବ।
ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପରେ ଜନସାଧାରଣଙ୍କଠାରୁ ଏନେଇ ଆପତ୍ତି ଓ ପ୍ରସ୍ତାବ ଆହ୍ୱାନ କରାଯିବ। ଅକ୍ଟୋବର ୩ ତାରିଖ ସୁଦ୍ଧା ଆପତ୍ତି ଓ ପ୍ରସ୍ତାବ ଦାଖଲ କରାଯାଇପାରିବ। ଏହାପରେ ଅକ୍ଟୋବର ୭ ସୁଦ୍ଧା ପ୍ରୋଭିଜନାଲ ବିଜ୍ଞପ୍ତି ପ୍ରକାଶ କରାଯିବ।
ପ୍ରୋଭିଜନାଲ ବିଜ୍ଞପ୍ତିକୁ ନେଇ ଅକ୍ଟୋବର ୭ରୁ ୨୧ ତାରିଖ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ କରିହେବ। ଅକ୍ଟୋବର ୨୬ରୁ ୨୮ ମଧ୍ୟରେ ଅପିଲର ଶୁଣାଣି ସହ ନିଷ୍ପତ୍ତି ନିଆଯିବ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅକ୍ଟୋବର ୩୧ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ।



