Breaking PLUSଦେଶମୁଖ୍ୟ ଖବର

ରାତି ହେଲେ ଘର ଛାତ ଉପରେ ପଡୁଛି ପଥର, ଭୟରେ ଗାଁ ଲୋକ

ଅମରାବତୀ: ରାତି ହେଲେ ଘର ଛାତ ଉପରେ ଅଜଣା ସ୍ଥାନରୁ ପଥର ବର୍ଷା। ଏଭଳି ରହସ୍ୟମୟ ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲା ପିମ୍ଦି ମଣ୍ଡଳର ଆପ୍ପାଜିପେଟା ଗାଁରେ ଆତଙ୍କ ଖେଳିଯାଇଛି। ଗତ ପ୍ରାୟ ସପ୍ତାହେ ହେଲା ରାତି ହେବା ମାତ୍ରେ ଘରଗୁଡ଼ିକର ଛାତ ଉପରେ ଭାରୀ ପଥର ପଡୁଥିବା ଗ୍ରାମବାସୀ କହିଛନ୍ତି।
ଘଟଣା ନେଇ ଗ୍ରାମବାସୀ ପୁଲିସରେ ଅଭିଯୋଗ କରିବା ପରେ ୪ ଜଣ କନଷ୍ଟେବଳଙ୍କୁ ଗାଁରେ ପାଟ୍ରୋଲିଂ ପାଇଁ ନିୟୋଜିତ କରାଯାଇଛି। ପୁଲିସ ଦୁଇ ଦିନ ଧରି ନଜର ରଖିଥିଲେ ମଧ୍ୟ ପଥର ପଡ଼ିବା ବନ୍ଦ ହୋଇନାହିଁ। ପ୍ରାୟ ୨୦ ଜଣ ଯୁବକ ମଧ୍ୟ ପୁଲିସ ସହ ନିକଟସ୍ଥ ପାହାଡ଼ ଉପରେ ରହି ନଜର ରଖିଥିଲେ। ତଥାପି ସେମାନଙ୍କ ଆଖି ସାମ୍ନାରେ ଘର ଛାତ ଉପରେ ପଥର ଖସିଥିବା ଗ୍ରାମବାସୀ କହିଛନ୍ତି।
ସ୍ଥାନୀୟ ଲୋକଙ୍କ ଅନୁସାରେ, ରାତି ପ୍ରାୟ ୧୦ଟା ବେଳକୁ ହଠାତ୍‌ ପଥର ପଡ଼ିବା ଆରମ୍ଭ ହେଉଛି। କିଛି ମିନିଟ୍‌ ବ୍ୟବଧାନରେ ପୁଣି ପଥର ପଡୁଛି। ଗାଁର ଅଧିକାଂଶ ଘରର ଛାତ ଆଜବେଷ୍ଟସ୍‌ ହୋଇଥିବାରୁ ଏଥିରେ କ୍ଷତି ମଧ୍ୟ ହେଉଛି। ଦୁଇଜଣ ଗ୍ରାମବାସୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ପ୍ରଥମେ ଏହା ଦୁର୍ବୃତ୍ତଙ୍କ କାଣ୍ଡ ବୋଲି ସନ୍ଦେହ କରାଯାଇଥିଲେ ମଧ୍ୟ ପୁଲିସ ଓ ଗ୍ରାମବାସୀଙ୍କ ନଜରଦାରି ପରେ ମଧ୍ୟ ଘଟଣା ଜାରି ରହିଛି। କିଛି ଲୋକ ଏହା ପଛରେ ଅଲୌକିକ ଘଟଣା ଥିବା ମଧ୍ୟ ସନ୍ଦେହ କରୁଛନ୍ତି। ଭୟରେ ଗ୍ରାମବାସୀ ସୂର୍ଯ୍ୟାସ୍ତ ପରେ ଘରେ ତାଲା ପକାଇ ରହୁଥିବା ବେଳେ ପ୍ରଶାସନ ଘଟଣାର ରହସ୍ୟ ଉନ୍ମୋଚନ କରି ସୁରକ୍ଷା ଦେବାକୁ ଦାବି କରିଛନ୍ତି।

Show More

Related Articles

Back to top button