SEBCଙ୍କ ରାଜନୈତିକ ପ୍ରତିନିଧିତ୍ୱ ଯାଞ୍ଚ କରିବ କମିଶନ, ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (ଏସ୍ଇବିସି)ଙ୍କ ବାସ୍ତବ ସ୍ଥିତି ଜାଣିବାକୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏସ୍ଇବିସି ବର୍ଗର ସାମାଜିକ, ଶିକ୍ଷାଗତ ଓ ରାଜନୈତିକ ସ୍ଥିତିର ସମୀକ୍ଷା ପାଇଁ ଏକ କମିଶନ ଗଠନ କରାଯାଇଛି। କମିଶନ ଏହାର ଅନୁଧ୍ୟାନ ପରେ ସରକାରଙ୍କୁ ରିପୋର୍ଟ ଦେବ।
ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ପ୍ରମଥ ପଟ୍ଟନାୟକଙ୍କୁ କମିଶନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ କୁମାର ପୃଷ୍ଟି ସଦସ୍ୟ ଏବଂ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ର ସଦସ୍ୟ-ସଚିବ ଭାବେ ଦାୟିତ୍ୱ ତୁଲାଇବେ।
ଏସ୍ଇବିସି ବର୍ଗର ଲୋକଙ୍କ ରାଜନୈତିକ ଭାଗିଦାରି ଉପରେ କମିଶନ ବିଶେଷ ଭାବେ ଗୁରୁତ୍ୱ ଦେବ। ବିଭିନ୍ନ ସ୍ୱାୟତ୍ତ ଶାସନ ସଂସ୍ଥାରେ ଏସ୍ଇବିସିଙ୍କ ଜନସଂଖ୍ୟା ଅନୁପାତ ଏବଂ ସେହି ଅନୁପାତରେ ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ କେତେ ରହିଛି, ତାହାର ତଥ୍ୟ ସଂଗ୍ରହ କରାଯିବ।
ଏହା ସହିତ ଶିକ୍ଷା, ସାମାଜିକ ସ୍ଥିତି ଓ ବିଭିନ୍ନ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଭାଗିଦାରିର ଚିତ୍ର ମଧ୍ୟ କମିଶନ ଅନୁଧ୍ୟାନ କରିବ। ସମସ୍ତ ତଥ୍ୟର ବିଶ୍ଳେଷଣ ପରେ କମିଶନର ସୁପାରିସ ଆଧାରରେ ସରକାର ପରବର୍ତ୍ତୀ ନୀତିଗତ ପଦକ୍ଷେପ ନେଇପାରନ୍ତି।



