ଓଡ଼ିଶା ସମେତ ୬ ରାଜ୍ୟରେ ନୂଆ ରାଜ୍ୟପାଳ, ବ୍ରଜମୋହନ ରାମଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋମବାର ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳଙ୍କ ନିଯୁକ୍ତି ଓ ବଦଳି ନେଇ ଘୋଷଣା କରାଯାଇଛି। ଏହି ଅନୁଯାୟୀ, ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ ହେବେ।
ଝାଡ଼ଖଣ୍ଡର ପଲାମୁ ଅଞ୍ଚଳର ବ୍ରଜମୋହନ ରାମ ଜଣେ ବରିଷ୍ଠ ରାଜନେତା। ସେ ପୂର୍ବରୁ ବିହାର ବିଧାନସଭାର ସଦସ୍ୟ ରହିଥିବା ବେଳେ ୧୯୯୬, ୧୯୯୮ ଓ ୧୯୯୯ରେ ପଲାମୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ସିକିମର ରାଜ୍ୟପାଳ ଓମ୍ପ୍ରକାଶ ମାଥୁରଙ୍କୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। କେରଳର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାମିଲନାଡୁର ନୂଆ ରାଜ୍ୟପାଳ ହେବେ। ସେହିପରି ଡାକ୍ତର ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡାକ୍ତର ଧଳସିଂହ ବିଶେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଶ୍ୟନ୍ତ ଗୌତମଙ୍କୁ ସିକିମର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।
ରାଷ୍ଟ୍ରପତି ଭବନର ଘୋଷଣା ଅନୁଯାୟୀ, ନୂଆ ରାଜ୍ୟପାଳମାନେ ନିଜ ନିଜ ପଦର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।



