Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ର

୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଦେବେ ୫୬୯୦ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ୍‌) ମୁଖ୍ୟ ଲିଖିତ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଆୟୋଜିତ ଏହି ପରୀକ୍ଷା ନଭେମ୍ବର ୭ ତାରିଖରେ ଶେଷ ହେବ। ଏଥିରେ ମୋଟ ୫୬୯୦ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ପରୀକ୍ଷା ପାଇଁ ଶୁକ୍ରବାରଠାରୁ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ ବୋଲି ଗୁରୁବାର ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ରାଜ୍ୟର ବିଭିନ୍ନ ଜୋନ୍‌ରେ ଏହି ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ।

ଚଳିତ ବର୍ଷ ଜୁନ୍‌ ୭ ତାରିଖରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା ହୋଇଥିଲା। କଟକ, ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଜୋନ୍‌ର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ଜୁଲାଇ ୧୦ରେ ଫଳ ପ୍ରକାଶ ପାଇଥିଲା। ଏଥିରେ ୫୬୯୦ ଜଣ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧୯୦୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

ପରୀକ୍ଷା ସୂଚୀ ଅନୁଯାୟୀ, ଅକ୍ଟୋବର ୨୯ରେ ଓଡ଼ିଆ ଓ ଇଂରାଜୀ, ୩୦ରେ ରଚନା, ନଭେମ୍ବର ୨ରେ ସାଧାରଣ ଅଧ୍ୟୟନର ପେପର୍‌-୧ ଓ ୨ ଏବଂ ୪ ତାରିଖରେ ସାଧାରଣ ଅଧ୍ୟୟନର ଅନ୍ୟ ପେପର୍‌ଗୁଡ଼ିକର ପରୀକ୍ଷା ହେବ। ନଭେମ୍ବର ୭ରେ ଇଚ୍ଛାଧୀନ ବିଷୟଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହେବ। ବିସ୍ତୃତ ପରୀକ୍ଷା ସୂଚୀ ଓପିଏସ୍‌ସିର ଅଧିକାରିକ ୱେବସାଇଟ୍‌ରେ ଉପଲବ୍ଧ ରହିଛି।

Show More

Related Articles

Back to top button