Breaking PLUSଦୁର୍ଘଟଣାଦେଶପାଣିପାଗମୁଖ୍ୟ ଖବର

ଭୁଟାନରେ ହ୍ରଦ ବିସ୍ଫୋରଣ, ଉତ୍ତରବଙ୍ଗରେ ରେଡ୍ ଆଲର୍ଟ; ୬ ହଜାରରୁ ଅଧିକ ସ୍ଥାନାନ୍ତର

 

ଭୁଟାନରେ ହ୍ରଦ ବିସ୍ଫୋରଣ ପରେ ଉତ୍ତର ପଶ୍ଚିମବଙ୍ଗରେ ବନ୍ୟା ଆଶଙ୍କା ବଢ଼ିଛି। ସାଙ୍କୋଷ ନଦୀ ଅବବାହିକା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ପ୍ରାୟ ୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଗତ ଗୁରୁବାର ଭୁଟାନର ଗାସା ଜିଲ୍ଲାର ୱାକିଲା ପର୍ବତ ତଳେ ଥିବା ଶିନଟାଫୁ ହ୍ରଦରେ ବିସ୍ଫୋରଣ ହୋଇଥିଲା। ଏହା ପରେ ପ୍ରାୟ ୭୪ ଲକ୍ଷ ଘନ ମିଟର ଜଳ ହ୍ରଦରୁ ବାହାରି ନଦୀ ପ୍ରଣାଳୀରେ ପ୍ରବାହିତ ହୋଇଥିଲା। ଏହି ପାଣି ମୋଛୁ ନଦୀ ଦେଇ ସାଙ୍କୋଷ ନଦୀ ଆଡ଼କୁ ଗତି କରୁଥିବାରୁ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳରେ ଚିନ୍ତା ବଢ଼ିଛି।

 

ପଶ୍ଚିମବଙ୍ଗ ମନ୍ତ୍ରୀ ମନୋଜ ଓରାଓଁ କୁମାରଗ୍ରାମ ଓ ଆଲିପୁରଦୁଆର ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ନଦୀ ନିକଟରେ ରହୁଥିବା ଲୋକଙ୍କୁ ଆବଶ୍ୟକ ପଡ଼ିଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସେ କହିଛନ୍ତି। ପ୍ରଶାସନ ପକ୍ଷରୁ ଅଞ୍ଚଳ ଖାଲି କରିବା ସହ ରିଲିଫ୍ ବ୍ୟବସ୍ଥା କରାଯାଉଛି।

ବିପର୍ଯ୍ୟୟ ମୁକାବିଲା ପାଇଁ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ହୋଇଥିବା ବେଳେ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମଧ୍ୟ ପଠାଯାଉଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି। ଜଳ ପ୍ରବାହର ବେଗ ସାମାନ୍ୟ କମିଥିଲେ ମଧ୍ୟ ପ୍ରଶାସନ ହାଇ ଆଲର୍ଟରେ ରହିଛି। ନଦୀରେ ପାଣି ସହ ବଡ଼ କାଠ, କଂକ୍ରିଟ୍ ଖଣ୍ଡ ଓ ଅନ୍ୟାନ୍ୟ ଭଙ୍ଗାରୁଜା ସାମଗ୍ରୀ ଭାସି ଆସିବାର ଆଶଙ୍କା ରହିଛି।

Show More

Related Articles

Back to top button